BusinessFeaturedGeneralLatest

ବଢିଲା ଅବଧି, ଅକ୍ଟୋବର ୭ ଯାଏ ବଦଳା ଯାଇପାରିବ ଦୁଇ ହଜାର ଟଙ୍କିଆ

ନୂଆଦିଲ୍ଲୀ (ସଂକେତ ଟିଭି) ଦୁଇ ହଜାର ଟଙ୍କିଆ ନୋଟ୍ ଜମା ବା ବଦଳାଇବା ଅବଧି ଭାରତୀୟ ରିଜର୍ଭ ବ୍ୟାଙ୍କ ବୃଦ୍ଧି କରିଛି । ଏହି ଅବଧି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଥିଲା। ଏଣିକି ଦୁଇ ହଜାର ଟଙ୍କିଆ ନୋଟ ଅକ୍ଟୋବର ୭ ଯାଏ ବ୍ୟାଙ୍କରେ ବଦଳା ଯାଇପାରିବ ।

ସୂଚନା ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଇ ୨୩ ରୁ ୨ହଜାର ଟଙ୍କିଆ ନୋଟ ବଦଳାଇବା ଆରମ୍ଭ କରାଯାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ୨ହଜାର ଟଙ୍କିଆ ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖା ଗୁଡ଼ିକରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି । ବ୍ୟାଙ୍କରେ ଥରକେ ୧୦ଟି ନୋଟ ଅର୍ଥାତ ୨୦ ହଜାର ଟଙ୍କା ବଦଳାଇ ପାରିବେ। ବ୍ୟାଙ୍କ ମାନଙ୍କୁ ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ଅଛି ସେମାନେ ବିନା ସ୍ଲିପ୍‌ ଏବଂ ଆଇଡିରେ ବ୍ୟାଙ୍କ ଯାଇ ତାହାକୁ ବିନିମୟ ଏବଂ ଜମା କରିପାରିବେ। ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍‌ ଜମା ଏବଂ ବଦଳ କ୍ଷେତ୍ରରେ କୌଣସି ପ୍ରକାରର କାଗଜପତ୍ର ଆବଶ୍ୟକ ନାହିଁ। ନିକଟତମ ଶାଖା କିମ୍ବା ଅନ୍ୟ କୌଣସି ବ୍ୟାଙ୍କରେ ମଧ୍ୟ ଏହି ନୋଟ୍‌ଗୁଡିକୁ ଆକାଉଣ୍ଟରେ ବିନିମୟ କିମ୍ବା ଜମା କରାଯାଇପାରିବ। ବ୍ୟାଙ୍କରେ ନୋଟ୍ ଜମା କରିବା ଏବଂ ବିନିମୟ ପାଇଁ ପୁରୁଣା ନିୟମ ଲାଗୁ ହେବ।

୨୦୦୦ ଟଙ୍କିଆ ନୋଟ୍‌ ଜମା କରିବାରେ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ। ଆପଣ ନିଜ ଆକାଉଣ୍ଟରେ ଯେତିକି ନଗଦ ଚାହିଁବେ ଜମା କରିପାରିବେ। ୫୦ ହଜାରରୁ ଅଧିକ ଟଙ୍କା ଜମା ଉପରେ ପାନ୍ କାର୍ଡ ଦେବାକୁ ପଡିବ, ଯେଉଁ ନିୟମ ପୂର୍ବରୁ ବଳବତ୍ତର ଅଛି। ଗୋଟିଏ ଦିନରେ ଜଣେ ୧୦ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ କିମ୍ବା ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ବଦଳ କରିପାରିବେ।