FeaturedGeneralLatest

ମେଡିସିନ ପାଇଁ ନୋବେଲ ପୁରସ୍କାର ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ

ନୂଆଦିଲ୍ଲୀ (ସଂକେତ ଟିଭି) ଫିଜିଓଲୋଜି ଓ ମେଡିସିନରେ କାଟାଲିନ୍ କାରିକୋ ଏବଂ ଡ୍ର୍ୟୁ ୱିସମ୍ୟାନଙ୍କୁ ସମ୍ମାନ ଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ ଆଧାରିତ ପରିବର୍ତ୍ତନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଉଭୟଙ୍କ ଗବେଷଣା ଓ ଆବିଷ୍କାର COVID-19 ଭୂତାଣୁ ବିରୋଧରେ ଲଢିବା ପାଇଁ ପ୍ରଭାବଶାଳୀ mRNA ଟିକା ବିକଶିତ କରିବାରେ ସକ୍ଷମ ହୋଇଛି । ଉଭୟଙ୍କୁ ଚଳିତ ବର୍ଷର ନୋବେଲ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି ।

କ୍ୟାଟେଲିନ୍ କାରିକୋ:-1955 ମସିହାରେ ହଙ୍ଗେରୀର ଜୋଲନୋକରେ ଜନ୍ମଗ୍ରହଣ କରିଥିଲେ କ୍ୟାଟେଲିନ୍ କାରିକୋ । ସେ 1982 ମସିହାରେ ଜେଗେଡ ୟୁନିଭରସିଟିରୁ PhD ହାସଲ କରିଥିଲେ । ଏହା ପରେ ସେ ହଙ୍ଗେରୀ ଏକାଡେମୀ-ଅଫ-ସାଇନ୍ସରେ ଡକ୍ଟରେଟ ଫେଲୋସିପ୍ ସମାପ୍ତ କରିଥିଲେ । ଏହାପରେ ସେ ଫିଲାଡେଲଫିଆର ଟେମ୍ପଲ ୟୁନିଭର୍ସିଟିରେ ସ୍ନାତକତ୍ତୋର ଡକ୍ଟରେଟ ରିସର୍ଚ୍ଚ ମଧ୍ୟ ସମାପ୍ତ କରିଥିଲେ । ପରେ ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରେ ଜଣେ ସହକାରୀ ପ୍ରଫେସର ଭାବେ ଅଧ୍ୟାପନା ଆରମ୍ଭ କରିବା ସହ ଗବେଷଣା ମଧ୍ୟ ଜାରି ରଖିଥିଲେ । 2013ରେ କ୍ୟାଟେଲିନ୍ ବାୟୋଏନଟେକ୍ ଆରଏନ୍ଏ (BioNTech RNA) ଫାର୍ମାସ୍ୟୁଟିକାଲ୍ କମ୍ପାନୀର ବରିଷ୍ଠ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ । କୋଭିଡ ସଂକ୍ରମଣ ସମୟରେ 2021 ମସିହାରେ ସେ କୋଭିଡ ଭୂତାଣୁ ବିରୋଧରେ mRNA ଟିକା ବିକଶିତ କରିଥିଲେ ।

ଡ୍ରୁ ୱାଇସମାନଙ୍କ ଜନ୍ମ 1959 ମସିହାରେ ଆମେରିକୀୟ ରାଜ୍ୟ ମାସାଚୁସେଟ୍ସରେ ହୋଇଥିଲା । ସେ 1987 ମସିହାରେ ବୋଷ୍ଟନ୍ ୟୁନିଭରସିଟିରୁ PhD ଏବଂ MD ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ହାର୍ଭାର୍ଡ ମେଡିକାଲ୍ ସ୍କୁଲର ବେଥ୍ ଇସ୍ରାଏଲ୍ ମେଡିକାଲ ସେଣ୍ଟରରେ କ୍ଲିନିକାଲ୍ ପ୍ରଶିକ୍ଷଣ ନେଇଥିଲେ । ଚିକିତ୍ସା ବିଜ୍ଞାନରେ ସେ ଉଚ୍ଚଶିକ୍ଷା ଲାଭ କରିବା ପରେ 1997ରେ ସେ ନିଜର ଏକ ରିସର୍ଚ୍ଚ ଗ୍ରୁପ ଗଠନ କରିଥିଲେ । ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ପେରେଲମ୍ୟାନ୍ ସ୍କୁଲ୍ ଅଫ୍ ମେଡିସିନରେ ଗବେଷଣା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ପେନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆରଏନ୍ଏ ଇନୋଭେସନ୍ସରେ ନିର୍ଦ୍ଦେଶକ ପଦରେ ଅଛନ୍ତି ।

ସ୍ବିଡେନ ବ୍ୟବସାୟୀ ତଥା ଡାଇନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି। ଯେଉଁମାନେ ଗତ ୧୨ମାସ ମଧ୍ୟରେ ମାନବିକତାର କଲ୍ୟାଣ ପାଇଁ ସର୍ବୋତ୍ତମ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦିଆଯାଏ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ ବା ଭେଷଜ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତି ଭଳି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।