LatestNewsPolitics

ବିଜେଡିର ‘ଜନ ସମ୍ପର୍କ ପଦଯାତ୍ରା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି) ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ‘ଜନ ସମ୍ପର୍କ ପଦଯାତ୍ରା’ର ଶୁଭାରମ୍ଭ କରିଛନ୍ତି । ଆଜି ଗାନ୍ଧୀ ଜୟନ୍ତୀରୁ ବିଜେଡି ପକ୍ଷରୁ ଏହି ପଦଯାତ୍ରା ଆରମ୍ଭ ହୋଇଛି। ଏହା ଅକ୍ଟୋବର ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପଦଯାତ୍ରା ଚାଲିବ। ଏହି ପଦଯାତ୍ରା ଅବସରରେ ଗାନ୍ଧୀ ଜୟନ୍ତୀ, ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ସମେତ ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ-୫୭ ସ୍ଥିତ ବରଗଡ଼ ବ୍ରିଟ୍‌‌ କଲୋନୀ ନେତାଜୀ ପଡ଼ିଆରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ଭୋଧନ କରି କହିଥିଲେ ଯେ ବିଜେଡି ସରକାର କରିଆସୁଥିବା ଓଡ଼ିଶାର ନିରନ୍ତର ବିକାଶ ବିରୋଧି ଖୁସି ନାହାନ୍ତି। ଯେଉଁଥି ପାଇଁ ସେମାନେ ଲୋକଙ୍କୁ ଭୁଲ ଖବର ଦେଉଛନ୍ତି। ନିର୍ବାଚନ ଆସିଲେ ସେମାନେ ସବୁବେଳେ ଏମିତି କାମ କରିଥାନ୍ତି। ତେଣୁ ଜନତା ସେମାଙ୍କୁ ସବୁବେଳେ ପ୍ରତ୍ୟାଖାନ କରି ଆସୁଛନ୍ତି। ସେମାନଙ୍କ ଜନବିରୋଧୀ ଓ ବିକାଶ ବିରୋଧୀ ମନୋଭାବକୁ ଲୋକେ ଠିକ ବୁଝିଛନ୍ତି। ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିର ବିକାଶ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ଲୋକେ ସେମାନଙ୍କୁ କ୍ଷମା ଦେବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।