FeaturedGeneralLatestPolitics

କୋଟିଏରୁ ଅଧିକ ପଦବୀ ଖାଲି, ନିଯୁକ୍ତି ଦେଉନି କେନ୍ଦ୍ର ସରକାର

ନୂଆଦିଲ୍ଲୀ (ସଂକେତ ଟିଭି) ଦେଶରେ କୋଟିଏ ସରକାରୀ ପଦବୀ ଖାଲି ପଡ଼ିଛି,ମାତ୍ର ନିଯୁକ୍ତି ଦିଆଯାଉନାହିଁ। ଘରେ ଘରେ ବେକାରୀ ଭର୍ତ୍ତି ହୋଇଛନ୍ତି,କିନ୍ତୁ ଚାକିରି ମିଳୁନାହିଁ। ଯୁବ ବର୍ଗଙ୍କୁ ନିଯୁକ୍ତି ନ ଦେଇ ଅର୍ଥ ସଞ୍ଚୟ କରାଯାଉଛି। ଏହି ଅର୍ଥକୁ ନିର୍ବାଚନରେ ମାଗଣା ସାମଗ୍ରୀ ଦେବା ପାଇଁ ବ୍ୟବହାର କରାଯିବ। ଅଟା-ଚାଉଳ ମାଗଣାରେ ଦିଆଯିବ। ନିଯୁକ୍ତ ମିଳିବ ନାହିଁ। ସ୍ଥାୟୀ ଭାବେ କିଛି ଦିଆଯିବ ନାହିଁ। ଯୁବ ଗୋଷ୍ଠୀ ବେକାର ହୋଇ ବୁଲୁଛନ୍ତି। ଏହା କହି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ପିଲିଭିତର ବିଜେପି ସାଂସଦ ବରୁଣ ଗାନ୍ଧି ।

ସୋମବାର ପିଲିଭିତର ବିଲସଣ୍ଡାରେ ଏକ ଜନ ସମ୍ବାଦ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବରୁଣ କହିଛନ୍ତି ପୂର୍ବରୁ ସରକାରୀ ନିଯୁକ୍ତି ପାଇଁ ବହୁତ ପରୀକ୍ଷା ହେଉଥିଲା। ଏବେ ଯେଉଁ ପରୀକ୍ଷା ହେଉଛି ମାତ୍ର ତାହାର ଫଳାଫଳ ତିନି ବର୍ଷ ପରେ ଆସୁଛି। ଅଧା ପରୀକ୍ଷାକୁ ବାତିଲ କରିଦିଆଯାଉଛି। ପୂର୍ବରୁ ବହୁତ ଚାକିରି ଥିଲା। ଏବେ ଏହାକୁ ହ୍ରାସ କରିଦିଆଯାଇଛି। କାରଣ ସବୁ ଘରୋଇ କମ୍ପାନୀକୁ ବିକ୍ରି କରି ଦିଆଯାଇଛି।

ସେ କହିଛନ୍ତି ବଡ଼ ବଡ଼ ଉଦ୍ୟୋଗପତିଙ୍କୁ ୧୦-୨୦ ହଜାର କୋଟି ଟଙ୍କାର ଋଣ ମିଳି ଯାଉଛି। କିନ୍ତୁ ସାଧାରଣ ଜନତାଙ୍କୁ ଲକ୍ଷେ ୨ ଲକ୍ଷ ଟଙ୍କା ଋଣ ମିଳିବା ବେଳକୁ ପ୍ରାଣ ଚାଲି ଯାଉଛି। ଏଭଳି ୨ଟି ଭାରତକୁ ସେ ଦେଖିବାକୁ ଚାହୁଁନାହାନ୍ତି। ଗୋଟିଏ ଭାରତର ଶିଶୁ ବିଦେଶରେ ପଢି ଚାକିରି ପାଉଛି। ଆଉ ଗୋଟେ ଭାରତର ଶିଶୁ ଛୋଟ ସ୍ବପ୍ନ ଦେଖୁଛି ଏବଂ ସ୍ବାସ୍ଥ୍ୟ ଖରାପ ରହୁଛି। ଚାକିରି ବି ମିଳୁନାହିଁ। ଅସହ୍ୟ କଷ୍ଟରେ ଜୀବନ ବିତାଉଛନ୍ତି। ସେହିପରି ଏବେ ରାଜନୀତିରେ ଦୁର୍ନୀତି କାୟା ବିସ୍ତାର କରି ନେଇଛି। ରାଜନୀତି ଅର୍ଥ ସର୍ବସ୍ବ ହୋଇଯାଇଛି। ଯାହାର ଅଧିକ ଟଙ୍କା ଅଛି ସେ ରାଜନେତା ପାଲଟୁଛି।