ବିଦେଶୀ ପାଣ୍ଠି ସଂଗ୍ରହ ମାମଲାରେ ନ୍ୟୁଜକ୍ଲିକ ସାମ୍ବାଦିକଙ୍କ ଘରେ ରେଡ୍
ନୂଆଦିଲ୍ଲୀ (ସଂକେତ ଟିଭି) ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଜି ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକ(NewsClick) ଅଫିସରେ ଚଢାଉ କରିଛି । ବେଆଇନ ଭାବେ ବିଦେଶୀ ପାଣ୍ଠି ସଂଗ୍ରହ ମାମଲାରେ ନ୍ୟୁଜ ଅଫିସ ସମେତ ଏଥିରେ କାର୍ଯ୍ୟରତ ସାମ୍ୱାଦିକ ଓ କର୍ମଚାରୀମାନଙ୍କ ଘରେ ଚଢାଉ ଚାଲିଛି । ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଦିଲ୍ଲୀ ପୋଲିସର ରେଡ୍ କରିଛି । ଏହି ରେଡରେ ପାଖାପାଖି 100 ଅଧିକାରୀ ସାମିଲ ଅଛନ୍ତି । ଏଥିରେ ଅର୍ଦ୍ଧସାମରିକ ଫୋର୍ସ ମଧ୍ୟ ସାମିଲ ଅଛନ୍ତି ।
ରେଡ ସମୟରେ ପୋଲିସ ମୋବାଇଲ, ଲ୍ୟାପଟପ, କମ୍ପ୍ୟୁଟର ସମେତ ଅନେକ ଇଲେକ୍ଟ୍ରୋନିକ ଡିଭାଇସ ଜବତ କରିଛି । ହାର୍ଡ ଡିକ୍ସ ଡେଟା ମଧ୍ୟ ଜବତ କରିଥିବା ମଧ୍ୟ ସୂଚନା ରହିଛି । ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ (UAPA) ଆଧାରରେ ମାମଲା ଦାୟର କରାଯାଇଛି । ଏବେ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇନାହାନ୍ତି । କିଛି ସାମ୍ୱାଦିକମାନଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନ ନିଆଯାଇଥିବା ସୂଚନା ରହିଛି ।
ଚୀନ ନୀତିର ପ୍ରଚାର ପ୍ରସାର ପାଇଁ ନ୍ୟୁଜକ୍ଲିକ ପୋର୍ଟାଲ ଚୀନଠାରୁ ଏହି ଫଣ୍ଡିଂ ଏକ ଆମେରିକୀୟ ବ୍ୟବସାୟୀଙ୍କ ଜରିଆରେ ପାଉଥିବା କିଛି ଦିନ ତଳେ ଅଭିଯୋଗ ହୋଇଥିଲା । ନ୍ୟୁୟର୍କ ଟାଇମ୍ସ ନିଜର ରିପୋର୍ଟରେ କହିଛି ଯେ ବ୍ୟବସାୟୀ ନେଭିଲ ରୟ ସିଙ୍ଘମଙ୍କ ଜରିଆରେ ନ୍ୟୁଜ୍ କ୍ଲିକକୁ ୩୮ କୋଟି ଟଙ୍କା ମିଳିଛି । ନ୍ୟୁୟର୍କ ଟାଇମ୍ସ ଅନୁସାରେ,ଏହି ଅଭିଯାନର କେନ୍ଦ୍ରରେ ଜଣେ ଆମେରିକୀୟ କୋଟିପତି, ନେଭିଲ ରୟ ସିଙ୍ଘମ ଅଛନ୍ତି, ଯିଏ ସୁଦୂର-ବାମପନ୍ଥୀ ହିତଙ୍କ ସମାଜବାଦୀ ଶୁଭେଚ୍ଛୁ ରୂପେ ପରିଚିତ। ଏଥିରେ କୁହାଯାଇଛି ଯେ ନେଭିଲ ଚାଇନିଜ ସରକାରୀ ମିଡିଆ ସହ ଅତି ଘନିଷ୍ଠ ଭାବେ କାମ କରୁଛନ୍ତି ଏବଂ ଦୁନିଆରେ ନିଜର ପ୍ରୋପାଗଣ୍ଡ ପ୍ରଚାର କରିବା ପାଇଁ ଫଣ୍ଡିଂ କରୁଛନ୍ତି ।
ଏହି ଅଭିଯୋଗକୁ ଭିତ୍ତି କରି 2021ରେ ନ୍ୟୁଜ କ୍ଲିକ ଓ ଏହାର ଫଣ୍ଡିଂ ଉତ୍ସଗୁଡିକର ଯାଞ୍ଚ କରାଯାଇଥିଲା । ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ବିଭାଗ ଏହି ମାମଲାରେ ଯାଞ୍ଚ କରିଥିଲା । ସେହି ସମୟରେ ମନି ଲଣ୍ଡରିଂ ମାମଲା ଦାୟର କରିବା ସହ ନ୍ୟୁଜ କ୍ଲିକର ସମ୍ପତ୍ତି ମଧ୍ୟ ଇଡି ଆଟାଚ କରିଥିଲା । ଟିକସ ଫାଙ୍କିବା ଅପରାଧରେ 2021ରେ ଇନକମ ଟ୍ୟାକ୍ସ ଅଧିକାରୀ ମଧ୍ୟ ନ୍ୟୁଜକ୍ଲିକ ଅଫିସରେ ତଲାସି ନେଇଥିଲେ ।