ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର (ସଂକେତ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି । ଅତ୍ୟାଧୁନିକ ଦୁଇ ଶହ ଶର୍ଯ୍ୟା ବିଶିଷ୍ଟ ଏହି କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାବାସୀଙ୍କୁ କ୍ୟାନ୍ସର ରୋଗର ଉନ୍ନତ ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହୋଇ ମୁମ୍ବାଇ ଯିବାକୁ ପଡ଼ିବ ନାହିଁ । ଏହା ହେଲେ କେବଳ ଓଡିଶାବାସୀ ନୁହେଁ ବରଂ ପଡୋଶୀ ରାଜ୍ୟ ବିହାର, ଛତିଶଗଡ଼, ଝାରଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର କ୍ୟାନସର ରୋଗୀମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ହସପିଟାଲକୁ ମୋ ବସ ଦ୍ବାରା ଯାତାୟତ ସୁବିଧା ସହ ଭଲ ରାସ୍ତା, ବସଷ୍ଟାଣ୍ଡ, ଅଗ୍ନିଶମ କେନ୍ଦ୍ରର ବ୍ୟବସ୍ଥା କରାଯିବ । ହସପିଟାଲରେ ରୋଗୀ ବିଏସକେୱାଇ କାର୍ଡ ମାଧ୍ୟମରେ ମାଗଣା ଚିକିତ୍ସା ପାଇପାରିବେ ।
କ୍ୟାନସର ହସପିଟାଲ ପରିସରରେ ଏକ ଆହାର କେନ୍ଦ୍ରର ଖୋଲାଯିବ । ମେଡିକାଲ ସାଇକ୍ଲୋଟ୍ରୋନ ସୁବିଧା ପାଇଁ ରାଜ୍ୟ ସରକାର ୬୫ ଏକର ଜମି ଯୋଗାଇଦେବା ସହ ଦେଢଶହ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଏହା ଏସିଆ ର ସର୍ବାଧିକ ଉନ୍ନତ ସାଇକ୍ଲୋଟ୍ରୋନ ଗବେଷଣା କେନ୍ଦ୍ର ହେବ । ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରଣ ପ୍ରକ୍ରିୟା ଚାଲିଛି । ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ସହ ସ୍ବାସ୍ଥ୍ୟ ଶିକ୍ଷା ଓ ନିୟମିତ ଡାକ୍ତର ନିଯୁକ୍ତିକୁ ଗୁରୁତ୍ବ ଦିଆଯାଉଛି ।
ପ୍ରତିବର୍ଷ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହ ତାଲିମପ୍ରାପ୍ତ ଡାକ୍ତର ବାହାରୁଛନ୍ତି । ୨୦୨୨ ସେପ୍ଟେମ୍ବରରେ ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟର ସହ ରାଜ୍ୟ ସରକାର ଏମଓୟୁ ସ୍ବାକ୍ଷର କରିଥିଲେ । ଏଥିରେ ଜଟଣୀ ନାଇଜର ପରିସରରେ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର ହସପିଟାଲ ପାଇଁ ଚୁକ୍ତିନାମା ହୋଇଥିଲା । ୨୫୦ କୋଟି ଟଙ୍କା ବ୍ୟୟରେ ଟାଟା ଷ୍ଟିଲ ଫାଉଣ୍ଡେସନ ହସପିଟାଲ ନିର୍ମାଣ କରି ଟାଟା ମେମୋରିଆଲ ସେଣ୍ଟର ଓ ଆଟମିକ ଏନର୍ଜି ବିଭାଗକୁ ହସ୍ତାନ୍ତର କରିବ । ଆଟମିକ ଏନର୍ଜି ବିଭାଗ ୪ଶହ କୋଟିର ଯନ୍ତ୍ରପାତି ଯୋଗାଇଦେବ ।
ମଙ୍ଗଳବାର ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଭୂମି ପୂଜନ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ଟାଟା ମେମୋରିଆଲ ନିର୍ଦ୍ଦେଶକ ରାଜେନ୍ଦ୍ର ବଡ଼ୱେ, ଟାଟା ଷ୍ଟିଲ ନିର୍ଦ୍ଦେଶକ ଚାଣକ୍ୟ ଚୌଧୁରୀ, ନାଇଜର ନିର୍ଦ୍ଦେଶକ ହିରେନ୍ଦ୍ର ନାଥ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।