BusinessLatestNews

ରାୟଗଡାରେ ହେବ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ, ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର (ସଂକେତ ଟିଭି) ହିଣ୍ଡାଲକୋ ରାୟଗଡା ଜିଲ୍ଲା କଂସାରିଗୁଡ଼ାରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନ ସେଣ୍ଟରରେ ଓଏମସି ଓ ହିଣ୍ଡାଲୋକ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ସୂଚନା ଅନୁସାରେ,ହିଣ୍ଡାଲକୋ ଏଥିପାଇଁ ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଏଥିରେ ବାର୍ଷିକ ୨ ମିଲିୟନ ଟନ ଆଲୁମିନା ଉତ୍ପାଦନ ହେବ। ଓଏମସି କଳାହାଣ୍ଡିର କୋଡ଼ିଂଗାମାଳି ବକ୍ସାଇଟ ଖଣିରୁ କଞ୍ଚାମାଲ ଦୀର୍ଘମିଆଦି ସୂତ୍ରରେ ଯୋଗାଇବ ।

ଏହି କାରଖାନାରେ ପ୍ରାଥମିକ ପର୍ଯ୍ୟୟରେ ସିଧାସଳଖ ୫ ହଜାର ଲୋକ ନିଯୁକ୍ତି ପାଇବେ । ପରେ ସମ୍ପୂର୍ଣ୍ଣ ଉତ୍ପାଦନକ୍ଷମ ହେଲେ ୭ ହଜାର ନିଯୁକ୍ତି ମିଳିବ। ବୁଝାମଣା ପତ୍ର ଅନୁଯାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ମିଳିବ।

ଏହା ସହିତ ଏକ ଗାର୍ମେଣ୍ଟ ଫାକ୍ଟ୍ରି କରିବାକୁ ହିଣ୍ଡାଲକୋ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଆଜି ବୈଠକରେ ଘୋଷଣା କରିଛନ୍ତି। ଏଥିରେ ୧୫ଶହ ଲୋକ ନିଯୁକ୍ତି ପାଇବେ। ଦୁଇରୁ ୩ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ୨୦୨୬ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି।