FeaturedGeneralLatest

ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିପାରିବ ବିହାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ସଂକେତ ଟିଭି) ବିହାର ସରକାର ଜାତିଭିତ୍ତିକ ଜନଗଣନା ତଥ୍ୟ ଜାରି କରିଥିବା ବେଳେ ଏହି ତଥ୍ୟ ଉପରେ ରୋକ ଲଗାଇବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ଏହାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀରେ ହେବ ବୋଲି ଜଣାପଡ଼ିଛି ।

ଜାତିଭିତ୍ତିକ ସର୍ଭେର ତଥ୍ୟକୁ ସାର୍ବଜନୀନ ନ କରିବା ଲାଗି ପାଟନା ହାଇକୋର୍ଟ ଏକ ଆବେଦନ କରାଯାଇଥିଲା । ଯାହାର ରାୟ ହାଇକୋର୍ଟ ଅଗଷ୍ଟ 1 ତାରିଖରେ ଶୁଣାଇଥିଲେ । ଏହି ଜନଗଣନା ଜାରି ରଖିବା ଲାଗି କୋର୍ଟ ନିର୍ଦେଶ ଦେଇଥିଲେ । ଏନେଇ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଆଜି ଏହି ଆବେଦନକୁ ଖାରଜ କରି ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ନେତୃ୍ତ୍ବାଧୀନ ବେଞ୍ଚ କହିଛନ୍ତି, ଆମେ କୌଣସି ରାଜ୍ୟ ସରକାରଙ୍କୁ ନୀତି ପ୍ରସ୍ତୁତ କରିବା ବା ଏହା ଉପରେ କାମ କରିବା ଉପରେ ରୋକ ଲଗାଇ ପାରିବୁ ନାହିଁ ।

ଆବେଦନକାରୀଙ୍କ ଆଇନଜୀବୀ ଅପରାଜିତା ସିଂ ଶୁଣାଣି ବେଳେ କୋର୍ଟଙ୍କୁ କହିଥିଲେ, ଏହି ମାମଲାରେ ପାଟନା ହାଇକୋର୍ଟଙ୍କ ରାୟ ଭୁଲ୍‌ । ଜାତିଭିତ୍ତିକ ସର୍ଭେ ରିପୋର୍ଟକୁ ରାଜ୍ୟ ସରକାର ସାର୍ବଜନୀନ କଲେ ଏହାଦ୍ବାରା କିଛି ବ୍ୟକ୍ତିଗତ ତଥ୍ୟ ସର୍ବସମ୍ମୁଖରେ ପ୍ରକାଶ ପାଇବ । ଯାହାକି ଗୋପନୀୟତାର ଉଲ୍ଲଙ୍ଘନ । ଏହାର ଉତ୍ତରରେ ବେଞ୍ଚ କହିଥିଲେ ଯେ ଯେତେବେଳ ପର୍ଯ୍ୟନ୍ତ ସର୍ଭେ ରିପୋର୍ଟରେ କୌଣସି ବ୍ୟକ୍ତିବିଶେଷଙ୍କ ନାମ ଓ ପରିଚୟ ପ୍ରକାଶ କରାଯାଇନାହିଁ ସେପର୍ଯ୍ୟନ୍ତ ଏହାକୁ ଗୋପନୀୟତାର ଉଲ୍ଲଙ୍ଘନ କହିବା ଅନୁଚିତ ।

ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟରେ ଦର୍ଶାଯାଇଥିଲା ଯେ ବିହାରର ମୋଟ ଜନସଂଖ୍ୟାର 63 ପ୍ରତିଶତ ପଛୁଆ ବର୍ଗ (OBC) ଏବଂ ଆର୍ଥିକ ପଛୁଆ ବର୍ଗ (EBC) ରହିଛନ୍ତି । ରାଜ୍ୟର ମୋଟ ଜନସଂଖ୍ୟାର 36 ପ୍ରତିଶତ ଅତ୍ୟଧିକ ପଛୁଆ ବର୍ଗ ଓ 27.1 ପ୍ରତିଶତ ପଛୁଆ ବର୍ଗ ଭାବେ ରିପୋର୍ଟରେ ସ୍ଥାନ ପାଇଛନ୍ତି । ସେହିପରି 19.7 ପ୍ରତିଶତ ଅନୁସୂଚୀତ ଜାତି ଓ ମାତ୍ର 1.7 ପ୍ରତିଶତ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକେ ବିହାର ବାସ କରୁଛନ୍ତି ।