FeaturedGeneralLatest

ଗାଜା ପଟିରୁ ଇସ୍ରାଏଲକୁ ୫ ହଜାର ରକେଟ୍ ମାଡ଼, ଯୁଦ୍ଧ ଘୋଷଣା କଲା ଇସ୍ରାଏଲ୍‌

ଜେରୁଜେଲମ୍‌ (ସଂକେତ ଟିଭି) : ପାଲେଷ୍ଟାଇନ ଆତଙ୍କବାଦୀମାନେ ଗାଜା ଉପତ୍ୟକାରୁ ଇସ୍ରାଏଲ ଉପରକୁ ଶହ ଶହ ରକେଟ୍ ମାଡ଼ ହେବା ପରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ୍‌ । ଅବରୋଧ ହୋଇଥିବା ଗାଜା ଷ୍ଟ୍ରିପରୁ ଇସ୍ରାଏଲ ବିରୋଧରେ ଏକାଥରକେ ୫ ହଜାରରୁ ଅଧିକ ରକେଟ ମାଡ କରାଯାଇଛି । ଏହି ଆକ୍ରମଣକୁ ପାଲେଷ୍ଟାଇନ୍‌ର ‘ହାମାସ୍‌ ଆତଙ୍କବାଦୀ’ମାନେ ସେମାନଙ୍କର ‘ପ୍ରଥମ ଆକ୍ରମଣ’ ବୋଲି କହିଛନ୍ତି।

ଅନ୍ୟପଟେ ଇସ୍ରାଏଲ୍ ସେନା କହିଛି, ଆମେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ । ଆର୍ମି ପକ୍ଷରୁ ସେନା ପାଇଁ ରେଡିନେସ୍ ଫର୍ ୱାର୍ ଆଲର୍ଟ ଜାରି କରିଛି । ଏହି ଆକ୍ରମଣ ଏଭଳି ସମୟରେ ହୋଇଛି ଯେତେବେଳେ କିଛି ଦିନ ପୂର୍ବରୁ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଛି ।

ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଘମାଘୋଟ ଏୟାରଷ୍ଟ୍ରାଇକରେ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆକ୍ରମଣରେ ପାରାଗ୍ଲାଇଡରଙ୍କୁ ସାମିଲ କରାଯାଇଛି । ଇସ୍ରାଏଲରେ ହମାସ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଅନୁପ୍ରବେଶ ରୋକିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏହି ଆକ୍ରମଣରେ ପ୍ରାୟ ୨୨ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି ଓ ହାମାସ ପକ୍ଷରୁ କେତେକ ଇସ୍ରାଏଲ ସୈନିକଙ୍କୁ ଅପହରଣ କରାଯାଇଥିବା ଦାବି କରାଯାଇଛି । ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିରାପତ୍ତା ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଯୁଦ୍ଧ ହାମାସ ଆରମ୍ଭ କରିଥିଲା, କିନ୍ତୁ ଇସ୍ରାଏଲ ଶେଷ କରିବ । ଆମ ଶତ୍ରୁଙ୍କୁ ଏମିତି ମୂଲ୍ୟ ଦେବାକୁ ପଡ଼ିବ ଯାହା ସେମାନେ କେବେ ଭାବି ନଥିବେ, ବୋଲି ସେ କହିଛନ୍ତି ।

ଋଷ-ୟୁକ୍ରେନ ଯୁଦ୍ଧ ପରେ ଏହି ଆକ୍ରମଣ ବିଶ୍ବସ୍ତରରେ ସର୍ବବୃହତ ବୋଲି କୁହାଯାଇଛି । ଇସ୍ରାଏଲ ସୀମା ଭିତରକୁ ହମାସ ଆତଙ୍କବାଦୀ ପ୍ରବେଶ କରିଥିବା ସୂଚନା ମିଳିବା ପରେ ଗାଜାଷ୍ଟ୍ରିପରେ ସତର୍କତା ଜାରି କରାଯିବା ସହ ଲୋକଙ୍କୁ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି । ତେଣେ ହମାସ ପକ୍ଷରୁ କୁହାଯାଇଛି- ସଂଗଠନ ପକ୍ଷରୁ ଅପରେସନ ଅଲ ଆକସା ଫ୍ଲଡ ଆରମ୍ଭ ହୋଇଛି ଏବଂ ମାତ୍ର ୨୦ ମିନଟରେ ୫ ହଜାର ରକେଟ ମାଡ କରାଯାଇଛି ।