LatestNews

ମାଲକାନଗିରିରେ ଲକ୍ଷ୍ମୀ ବସ୍‌ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି (ସଂକେତ ଟିଭି ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ମାଲକାନଗିରିରେ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟୟରେ ୬ଟି ଜିଲା ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲାରେ ଲକ୍ଷ୍ମୀ ବସ୍‌‌ ସେବା ଆରମ୍ଭ ହୋଇଛି। ମାଲକାନଗିରିରେ ୩୬ଟି ଲକ୍ଷ୍ମୀ ବସ୍‌‌ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସାରା ଓଡିଶାରେ ଚଳାଚଳ କରିବ ଲକ୍ଷ୍ମୀ ବସ୍‌‌। ପଞ୍ଚାୟତରୁ ଜିଲା ମୁଖ୍ୟାଳୟକୁ ଯୋଡିବ ଲକ୍ଷ୍ମୀ ବସ୍‌‌ ସେବା। ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ ଏହି ବସ୍‌‌ରେ ଯାତ୍ରା ମଧ୍ୟ କରିଛନ୍ତି।

ମାଲକାନଗିରି ଷ୍ଟାଡିୟମରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ପରେ ନିଜେ ବସରେ ବସି ଏମଭି-୩ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଉଭୟ ପାର୍ଶ୍ବରେ ଶହ ଶହ ଜନତାଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ଏମଭି-୩ରେ ବସଷ୍ଟପର ଶୁଭାରମ୍ଭ କରିଛନ୍ତି ନବୀନ।

ମାଲକାନଗିରିରେ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରି ଆୟୋଜିତ କାର୍ଯ୍ୟକ୍ରମରେ ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରି ମୋ ପାଇଁ ବହୁତ ପ୍ରିୟ। ମାଲକାନଗିରି ସହ ମୁଁ ରହିଛି। ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖାହେଲା। ଗୁରୁପ୍ରିୟା ସେତୁ ମାଲକାନଗିରି ବିକାଶର ମାଇଲଖୁଣ୍ଟ ବୋଲି କହିଛନ୍ତି। ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ। ଏହା ଗାଁ ଗାଁରେ ସମୃଦ୍ଧି ଆଣିବ। ଅର୍ଥନୀତିକୁ ସୁଦୃଢ କରିବ। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଜିଲ୍ଲାରେ ୧୯୨ କୋଟି ବ୍ୟୟରେ ୧୮ଟି ଲୋକାଭିମୁଖି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ। ଏଥିସହ ୬୦୧ କୋଟିରୁ ଅଧିକ ବ୍ୟୟର ୯୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।