LatestNews

ନଭେମ୍ବରରେ ଝାରସୁଗୁଡାରୁ ବେଙ୍ଗାଲୁରୁ ଓ କୋଲକାତାକୁ ଆରମ୍ଭ ହେବ ବିମାନ ସେବା

ଝାରସୁଗୁଡା (ସଂକେତ ଟିଭି ) ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ନଭେମ୍ବରରୁ ଇଣ୍ଡିଗୋ ତାର ବିମାନ ସେବା ଆରମ୍ଭ କରିବ । ନଭେମ୍ବର ୫ ତାରିଖରୁ ଇଣ୍ଡିଗୋ କୋଲକାତା ଓ ଝାରସୁଗୁଡା ମଧ୍ୟରେ ବିମାନ ସେବା ଆରମ୍ଭ କରିବ। ସେହିପରି ନଭେମ୍ବର ୧୫ ତାରିଖରୁ ଝାରସୁଗୁଡା ଓ ବେଙ୍ଗାଲୁରୁ ମଧ୍ୟରେ ଇଣ୍ଡିଗୋ ବମାନ ଚଳାଚଳ କରିବ । ଏନେଇ ଟିକେଟ୍ ବିକ୍ରି ଆରମ୍ଭ ହୋଇସାରିଛି ।

ନଭେମ୍ବର ୫ ତାରିଖରୁ ପ୍ରତିଦିନ ସନ୍ଧ୍ୟା ୫ଟା ୫୦ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଭରି ୭ଟା ୨୫ରେ ଝାରସୁଗୁଡାରେ ଅବତରଣ କରିବ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସନ୍ଧ୍ୟା ୭ଟା ୫୫ରେ ଉଡାଣ ଭରିବ ଏବଂ ୯ଟା ୨୦ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ ।

ସେହିପରି ନଭେମ୍ବର ୧୫ ତାରିଖରୁ ପ୍ରତିଦିନ ସକାଳ ୧୦ଟା ୧୫ମିନିଟ୍‌ରେ ଇଣ୍ଡିଗୋର ବିମାନ ବେଙ୍ଗାଲୁରୁରୁ ବାହାରି ଅପରାହ୍ନ ୧୨ଟା ୨୦ରେ ଝାରସୁଗୁଡା ପହଞ୍ଚିବ । ଅପରାହ୍ନ ୧୨ଟା ୫୦ରେ ଝାରସୁଗୁଡାରୁ ବାହାରି ୨ଟା ୫୫ରେ ବେଙ୍ଗାଲୁରୁ ପହଞ୍ଚିବ ଇଣ୍ଡଗୋ ବିମାନ । ବେଙ୍ଗାଲୁରୁକୁ ୧୮୦ ସିଟ୍ ବିଶିଷ୍ଟ ଏୟାରବସ୍-୩୨୦ ବିମାନ ଚଳାଚଳ କରିବ ଏବଂ କୋଲକାତାକୁ ଏଟିଆର୍-୭୨, ୭୨ ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ ।

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦେଶକ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତାକୁ ବିମାନ ଚଳାଚଳ କରୁଥିବା ବେଳେ ଏଲାଏନ୍ସଏୟାର ଭୁବନେଶ୍ୱରକୁ ବିମାନ ସେବା ପ୍ରଦାନ କରୁଛି ।