ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ବାରିପଦା (ସଂକେତ ଟିଭି )ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବାରିପଦାର ପିଠାବଟା ଗେଟ ଏଵଂ ଯଶିପୁରର କାଳିଆଣି ଠାରେ ପର୍ଯ୍ୟଟକଙ୍କୁ ସ୍ୱାଗତ ଜଣାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ସକାଳ ୬ରୁ ପୂର୍ବାହ୍ନ ୯ଟା ମଧ୍ୟରେ ଦୈନିକ ଚାରି ଚକିଆ ଯାନ କାଳିଆଣି ତନଖି ଫାଟକ (ଯଶିପୁର) ପଟୁ ୩୫ ଗାଡି ଓ ପିଠାବଟା (ବାରିପଦା) ତନଖି ଫାଟକ ଦେଇ ୨୫ ଗାଡି ଜଙ୍ଗଲ ଭିତରକୁ ପ୍ରବେଶ କରିବ ବୋଲି ସ୍ଥିରୀକୃତ ହୋଇଛି। ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ।
ପ୍ରତି ପର୍ଯ୍ୟଟକଙ୍କ ପିଚ୍ଛା ପ୍ରବେଶ ଶୁଳ୍କ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ ପର୍ଯ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ପର୍ଯ୍ୟଟକମାନେ ନେବା ଉପରେ କଟକଣା ଜାରି କରାଯାଇଛି। ଶିମିଳିପାଳରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକ ମାନେ (www.ecotourism.com) ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ।
ପ୍ରତି ବର୍ଷ ବର୍ଷାଋତୁ ଯୋଗୁଁ ଜୁନ ମାସ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଏବଂ ନଭେମ୍ବର ପହିଲାରେ ଖୋଲିଥାଏ। ଚଳିତ ବର୍ଷ ଅକ୍ଟୋବର ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲିଛି। ଫଳରେ ଏଥର ଦୁର୍ଗାପୂଜା ଛୁଟିରେ ପର୍ଯ୍ୟଟକ ଭ୍ରମଣରେ ଆସିପାରିବେ । ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଯଶିପୁର ଠାରେ ନୂତନ କରି ଖଇରୀ ବାଘୁଣୀ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଏଥି ସହିତ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାର ମଧ୍ୟ ବ୍ୟବସ୍ଥା ରହିଛି। ତା’ ଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ନେଚର ଗେମିଙ୍ଗର ସୁବିଧା କରାଯାଇଛି। ପର୍ଯ୍ୟଟକ ମାନେ ପ୍ରତି ଗାଡ଼ିରେ ଜଣେ ବିଭାଗୀୟ ଗାଇଡଙ୍କୁ ନିୟମ ଅନୁଯାୟୀ ସାଙ୍ଗରେ ନେବାକୁ ପଡ଼ିବ।
ସେହିପରି ବୁଲାବୁଲି ସାରି ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ, ୪ଟା ପୂର୍ବରୁ ଚହଲା ଏବଂ ୫ଟା ବେଳକୁ ପ୍ରସ୍ଥାନ ଗେଟ ବାହାରକୁ ଆସିବାକୁ ନିର୍ଦ୍ଦେଶ ରହିଛି। କୌଣସି କାରଣବଶତଃ ଅଭୟାରଣ୍ୟ ମଧ୍ୟରେ ଗାଡ଼ି ଖରାପ ହେଲେ ପର୍ଯ୍ୟଟକ ମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ୪ହଜାର ଟଙ୍କା ଜମା ଦେବାକୁ ନିୟମ ରହିଛି। ଆମୋଦ ପ୍ରମୋଦ ସହ ରାତ୍ରି ରହଣି ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ, ଗୁଡ଼ଗୁଡ଼ିଆ, ବରେହିପାଣି ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୁଆଁରୀ ଗାଁ ନିକଟରେ ବାଉଁଶ କୁଟୀର ବ୍ୟବସ୍ଥା ମଧ୍ୟ କରାଯାଇଛି। ସୁରକ୍ଷିତ ଭାବେ ପର୍ଯ୍ୟଟକ ଜଙ୍ଗଲ ପରିବେଶରେ କିପରି ଜଙ୍ଗଲୀ ବନ୍ୟଜନ୍ତୁଙ୍କ ଚଳ ପ୍ରଚଳକୁ ପାଖରୁ ନିରେଖି ଦେଖିପାରିବେ ସେଥିପାଇଁ ସତନ୍ତ୍ର ରୁଟ୍ ପ୍ରସ୍ତୁତ କରାଯାଇଛି। ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକଙ୍କ ପାଇଁ ମିନିବସ୍ର ମଧ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହା ସହିତ ଅଭୟାରଣ୍ୟ ମଧ୍ୟରେ ସ୍ଵତନ୍ତ୍ର ଖାଦ୍ୟର ବ୍ୟବସ୍ଥା ରହିଛି।