ଉତ୍ତର ଗାଜା ଛାଡି ଚାଲିଯିବାକୁ ଲୋକଙ୍କୁ ୩ ଘଣ୍ଟା ସମୟ ଦେଲା ଇସ୍ରାଏଲ
ନୂଆଦିଲ୍ଲୀ (ସଂକେତ ଟିଭି) ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଏୟାର ଷ୍ଟ୍ରାଇକ କରି ଚାଲିଛି। ଏହି ଯୁଦ୍ଧ ଆରମ୍ଭ ହେବାର ନଅ ଦିନ ବିତିଗଲାଣି। ଏହି ସମୟରେ ଇସ୍ରାଏଲ ଗାଜାକୁ ବାୟୁ, ସ୍ଥଳ ଏବଂ ସମୁଦ୍ରରୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ରବିବାର ଉତ୍ତର ଗାଜାରୁ ବାହାରୁଥିବା ନାଗରିକମାନଙ୍କୁ ଇସ୍ରାଏଲ ସେନା ତିନି ଘଣ୍ଟା ସମୟ ଦେଇଛି।
ଇସ୍ରାଏଲ ସେନା କହିଛି ଯେ, ଏହି ମାର୍ଗରେ ସ୍ଥାନୀୟ ସମୟ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୌଣସି ଅପରେସନ କରାଯିବ ନାହିଁ। ଏହା ଏକ ସମ୍ପୂର୍ଣ୍ଣ ସୁରକ୍ଷିତ ମାର୍ଗ। ଉତ୍ତର ଗାଜା ଠାରୁ ଦକ୍ଷିଣ ଗାଜାକୁ ଯିବା ପାଇଁ ଏହି ୩ ଘଣ୍ଟା ବ୍ୟବହାର କରନ୍ତୁ। ତୁମର ଏବଂ ତୁମର ପରିବାରର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ।
ତିନି ପାର୍ଶ୍ୱରୁ ଗାଜା ଉପରେ ଆକ୍ରମଣ କରିବ ଇସ୍ରାଏଲ ସେନା। ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ହମାସ ଉପରେ ଇସ୍ରାଏଲ ଆକ୍ରମଣ କରିବ। ଏନେଇ ଇସ୍ରାଏଲର ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲ ସେନା ଗାଜା ଉପରେ ସ୍ଥଳ, ଜଳ, ବାୟୁ ଭାଗରୁ ଆକ୍ରମଣ କରିବକୁ ପ୍ରସ୍ତୁତ ହେଉଛନ୍ତି।
ଅନ୍ୟପଟେ ଗାଜାରେ ଇଣ୍ଟରନେଟ୍, ବିଦ୍ୟୁତ୍ ନ ଥିବାରୁ ଅନେକ ଲୋକଙ୍କ ନିକଟରେ ଗାଜା ଛାଡିବାର ସୂଚନା ମଧ୍ୟ ପହଞ୍ଚି ନଥିବ। ଏସବୁ ମଧ୍ୟରେ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଗାଜା ପରିସ୍ଥିତିକୁ ବିପଜ୍ଜନକ ବୋଲି କହିଛନ୍ତି। ଏଥିସହ ଗାଜା ଛାଡିବା ନେଇ ଇସ୍ରାଏଲର ଘୋଷଣା ଏକ ଭୟଙ୍କର ପରିଣାମ ସୃଷ୍ଟି କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି।
ହମାସ ଆକ୍ରମଣ ଏବଂ ଇସ୍ରାଏଲର ଗାଜା ଷ୍ଟ୍ରିପ ଉପରେ ପରବର୍ତ୍ତୀ ଆକ୍ରମଣ ରେ ୩,୬୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ଏପର୍ଯ୍ୟନ୍ତ ୧୩୦୦ ରୁ ଅଧିକ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ଗାଜା ଅଞ୍ଚଳରେ ୨୩୦୦ରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।