LatestNews

ଆମ ଓଡିଶା ନବୀନ ଓଡିଶା: ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼ ଜିଲ୍ଲା ସାମିଲ

ଭୁବନେଶ୍ବର (ସଂକେତ ଟିଭି) ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ଯାୟରେ ଆଜି ଏହି ଯୋଜନାରେ ରଗଡ, ମୟୂରଭଞ୍ଜ, ଓ ଦେବଗଡ ଜିଲ୍ଲା ସାମିଲ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତିନୋଟି ଜିଲ୍ଲାରେ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ମୟୂରଭଞ୍ଜର ୫ଟି ନିର୍ବାଚନମଣ୍ଡଳୀରେ ୩୦୮୧ ପ୍ରକଳ୍ପ ପାଇଁ ୧୧୧ କୋଟି ୫୦ ଲକ୍ଷ, ବରଗଡର ୫ଟି ନିର୍ବାଚନମଣ୍ଡଳୀର ୩୧୩୫ ପ୍ରକଳ୍ପ ପାଇଁ ୧୨୬ କୋଟି ୫୦ ଲକ୍ଷ ଓ ଦେବଗଡର ଗୋଟିଏ ନିର୍ବାଚନମଣ୍ଡଳୀର ୯୯୧ ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

ମୟୂରଭଞ୍ଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୧୧ କୋଟି ୫୦ ଲକ୍ଷ ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଏବଂ ଉଦଳା । ଏହି ସବୁ ନିର୍ବାଚନମଣ୍ଡଳୀର ୨୨୩ଟି ଗ୍ରାମ ପଞ୍ଚାୟତରେ ୩୦୮୧ଟି ପ୍ରକଳ୍ପ ହେବ ।

ସେହିପରି ବରଗଡ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି ସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା ଅତାବିରା, ବିଜେପୁର, ବରଗଡ, ପଦମପୁର ଓ ଭଟଲି । ଏଥିରେ ୨୫୩ଟି ଗ୍ରାମପଞ୍ଚାୟତରେ ୩୧୩୫ଟି ପ୍ରକଳ୍ପ କରାଯିବ ।

ସେହିପରି ଦେବଗଡ ଜିଲ୍ଲାର ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏଥିରେ ୭୦ଟି ଗ୍ରାମପଞ୍ଚାୟତରେ ୯୯୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ମୟୂରଭଞ୍ଜ ଜିଲ୍ଲାରେ ବାରିପଦା ସହରର ରିଙ୍ଗ ରୋଡ ତଥା ବନ୍ୟା ନିୟନ୍ତ୍ରଣ ବନ୍ଧ ପାଇଁ ୧୫୪.୧୨ କୋଟି, ବାରିପଦା ଏମପିସି କଲେଜର ଉନ୍ନତିକରଣ ପାଇଁ ୧.୫୦ କୋଟି, ମାଣତ୍ରୀରେ ବାବା କଖାରୁଆ ବୈଦନାଥ ଶିବ ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି, ବାରିପଦାରୁ ପ୍ରତାପପୁର ବଡସାହି-ମାଣିତ୍ରୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୩୭.୦୪ କୋଟି, ବେତନଟୀ-ବଡସାହି ରାସ୍ତାର ଉନ୍ନତିକରଣ ପାଇଁ ୧୯.୪୪ କୋଟି ସହ ମୋଟ ୨୧୩.୧୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।

ବରଗଡର ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିରକୁ ୧.୩୬ କୋଟି, ବରଗଡ ମହିଳା କଲେଜକୁ ୧.୨୫ କୋଟି, ବରଗଡ ପଞ୍ଚାୟତ କଲେଜକୁ ୧.୨୫ କୋଟି, ସରଣ୍ଡା ବିଶେଷ୍ବର ମନ୍ଦିରକୁ ୨.୬୦ କୋଟି, ପପଙ୍ଗା ପାହାଡ ପର୍ଯ୍ୟଟନ କେନ୍ଦ୍ରକୁ ୧.୮୦ କୋଟି, ଅତାବିରା ରାମଚଣ୍ଡୀ ମନ୍ଦିରକୁ ୧.୪୦ କୋଟି, ଲରମ୍ଭା କଲେଜକୁ ୧.୨୫ କୋଟି ସହ ମୋଟ ୭ଟି ପ୍ରକଳ୍ପ ପାଇଁ ୧୦.୯୧ କୋଟି ଟଙ୍କା ମଞ୍ଜୁର ହୋଇଛି ।

ସେହିପରି ଗୋହିରା ଡ୍ୟାମର କେନାଲ ଲାଇନିଂ ପାଇଁ ୧୭.୬୮ କୋଟି, ତିଲେଇବଣି ହକି ଟ୍ରେନିଂ ସେଣ୍ଟରରେ ସିନ୍ଥେଟିକ ଟର୍ଫ ପାଇଁ ୧୨ କୋଟି ଟଙ୍କା, ଝାଡେଶ୍ବର ମନ୍ଦିରର ବିକାଶ ପାଇଁ ୩.୧୦ କୋଟି, ଦେବଗଡ ମଡେଲ ଡିଗ୍ରୀ କଲେଜ ବିକାଶ ପାଇଁ ୧.୨୫ କୋଟି, ଦେବଗଡ କଲେଜ ବିକାଶ ପାଇଁ ୧ କୋଟି, ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୯୨ କୋଟି, କୁରୁଡକୋଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୫ କୋଟି, ଦେଓଝରଣ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୭ କୋଟି, ଗୋହିରା ନିକଟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୬୨ ଲକ୍ଷ, ରିଆମାଳ ଯୋଗୀହୁଲି ପର୍ଯ୍ୟଟନ କ୍ଷେତ୍ର ପାଇଁ ୬ ଲକ୍ଷ ଏବଂ ରିଆମାଳ ଭିତରପଡା ଡୋକ୍ରା କାରିଗରଙ୍କ ପାଇଁ Common Facility Centreର ବିକାଶ ପାଇଁ ୪୦ ଲକ୍ଷ ଅନୁମୋଦନ ହୋଇଛି । ମୋଟ ୧୧ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୯ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ରୀତା ସାହୁ, ସାଂସଦ ମମତା ମହନ୍ତ, ବିଧାୟକ ରାଜକିଶୋର ଦାସ, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ବର୍ଷା ସିଂ ବରିହା, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଭିସି ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତ ଦେଇଛନ୍ତି ।