ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲାର ଆବେଦନ ଗ୍ରହଣ କଲେ ହାଇକୋର୍ଟ : ବର୍ଷାଙ୍କୁ ନୋଟିସ୍
କଟକ (ସଂକେତ ଟିଭି) କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। ହାଇକୋର୍ଟ ତଳ କୋର୍ଟର ରାୟ ବିରୁଦ୍ଧରେ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଏହା ସହିତ ପ୍ରତିପକ୍ଷ ବର୍ଷାଙ୍କୁ ନୋଟିସ୍ କରିଛନ୍ତି । ନଭେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣୀ ହେବ।
ସୂଚନା ଅନୁସାରେ, ବର୍ଷାଙ୍କ ପକ୍ଷରୁ ପତି-ପତ୍ନୀ ହୋଇ ଏକତ୍ର ରହିବା ପାଇଁ ପରିବାର ଅଦାଲତରେ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଯାଇଥିଲା। ସେହିପରି ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ସୂଚନା ଥାଉ କି ଅକ୍ଟୋବର ୩୦ ସୁଦ୍ଧା ମାମଲା ଶେଷ କରି ରାୟ ଦେବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ସୁପରଷ୍ଟାର ଅନୁଭଵ ମହାନ୍ତିଙ୍କ ଦ୍ଵାରା ଆଗତ ଏକ ଟ୍ରାନ୍ସଫର ପିଟିସନର ଶୁଣାଣି କରି ୩ ମାସ ମଧ୍ୟରେ କଟକ ପରିବାର ଅଦାଲତ ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେପ୍ଟେମ୍ବର ୨୨ରେ କଟକ ପରିବାର ଅଦାଲତ ରାୟ ଶୁଣାଇଥିଲେ । ଏହି ପାରିବାରିକ ବିବାଦର ମୂଳ ମାମଲା ଅନୁଭଵ ମହାନ୍ତିଙ୍କ ଦ୍ଵାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ୨୦୨୦ ଜୁଲାଇ ୬ ତାରିଖରେ ରୁଜୁ ହୋଇଥିଲା । ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୨୦୨୧ ମାର୍ଚ୍ଚ ୫ ତାରିଖରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସୁପ୍ରିମକୋର୍ଟ ସ୍ଥାନାନ୍ତରିତ କରିଥିଲେ । କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ କଟକ ପରିବାର ଅଦାଲତରେ ହାଜର ହୋଇଥିଲେ। ସେବେଠାରୁ ଉଭୟ ଉଭୟଙ୍କ ନାମରେ ଅନେକ ମକଦ୍ଦମା ବିଭିନ୍ନ କୋର୍ଟରେ ରୁଜୁ କରିଛନ୍ତି । ଅନ୍ୟପଟେ କଟକ ପରିବାର ଅଦାଲତରେ ମାମଲାର ତ୍ବରିତ ଶୁଣାଣି ହେଉ ନ ଥିବା ଦର୍ଶାଇ ମାମଲାକୁ ଭୁବନେଶ୍ବର ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି କଟକ ପରିବାର ଅଦାଲତ ୩ ମାସ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।