୬ ରବି ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ସରକାର ଦୀପାବଳି ଏବଂ ଦୁର୍ଗା ପୂଜା ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ବୁଧବାର ହୋଇଥିବା କ୍ୟାବିନେଟ୍ ବୈଠକରେ ସରକାର ୬ ରବି ଫସଲର ଏମଏସପି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଏପର୍ଯ୍ୟନ୍ତର ସବୁଠୁ ବଡ଼ ବୃଦ୍ଧି ବୋଲି କୁହାଯାଉଛି।
ସରକାର ସୋରିଷ ଏବଂ ତୈଳ ଜାତୀୟ ଉତ୍ପାଦ ଉପରେ ପ୍ରତି କ୍ବିଣ୍ଟାଲ ୨୦୦ ଟଙ୍କା ବୃଦ୍ଧି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୂଚନା ଦେଇ କହିଛନ୍ତି ଯେ, ମସୂର ଡାଲି ଉପରେ କ୍ବିଣ୍ଟାଲ ପିଛା ୪୨୫ ଟଙ୍କା, ଗହମ ଉପରେ କ୍ବିଣ୍ଟାଲ ପିଛା ୧୫୦ ଟଙ୍କା, ବାର୍ଲି ଉପରେ କ୍ବିଣ୍ଟାଲ ପିଛା ୧୧୫ ଟଙ୍କା, ଚଣା ଉପରେ କ୍ବିଣ୍ଟାଲ ପିଛା ୧୦୫ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରିଛନ୍ତି। ଆଉ ଏହା ଦ୍ବାରା ଗହମର ଏମଏସପି ୧୫୦ ଟଙ୍କାରୁ ବଢ଼ି କ୍ବିଣ୍ଟାଲ ପିଛା ୨,୨୭୫ ଟଙ୍କା ହୋଇଛି।
ଏହା ସହ ରେଲଓ୍ବେ କର୍ମଚାରୀଙ୍କ ବୋନସ ଉପରେ ମଧ୍ୟ ମୋହର ମାରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ରେଲଓ୍ବେର ଅଣ ଗେଜେଟେଡ କର୍ମଚାରୀଙ୍କୁ ୭୮ ଦିନର ଦରମା ସମାନ ବୋନସ ଦିଆଯିବ। ଏଥିରେ ଲୋକୋ ପାଇଲଟ, ଟ୍ରେନ୍ ମ୍ୟାନେଜର (ସୁରକ୍ଷାକର୍ମୀ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ସିସିଆନ ହେଲପର, ପଏଣ୍ଟ୍ସମେନ୍ ଭଳି କର୍ମଚାରୀ ଉପକୃତ ହେବ। ଏହା ସହ ଗ୍ରୁପ୍ ସି ଷ୍ଟାଫ୍ ମଧ୍ୟ ଏଥିରେ ଉପକୃତ ହେବେ। ତେବେ ଆରପିଏଫ ଏବଂ ଆରପିଏସଏଫ କର୍ମଚାରୀଙ୍କୁ ଏହି ବୋନସ ମିଳିବ ନାହିଁ।