FeaturedLatestNews

ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ

ଭୁବନେଶ୍ଵର (ସଂକେତ ଟିଭି): ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ କରାଯିବ। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏମିତି ନିଷ୍ପତ୍ତି ନେଇଛନ୍ତି। ଏନେଇ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବାକୁ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ। ସରକାର ସଂଘର ଦାବି ନ ମାନିବା ଏବଂ ଆଲୋଚନା ନ କରିବାରୁ ସଂଘ ବସ୍ ଡାକରା ଦେଇଥିବା ଅକ୍ଟୋବର ୮ ତାରିଖରେ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ସୂଚନା ଦେଇଥିଲେ।

ତେବେ ଏହାର ୨୪ ଘଣ୍ଟା ନ ପୂରୁଣ ନିଜ ନିଷ୍ପତ୍ତିରୁ ଓହରିଥିଲେ ବସ ମାଲିକ ସଂଘ। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସରକାରଙ୍କ ସହ ଆଲୋଚନା ସକରାତ୍ମକ ହୋଇଥିବା ବସ୍ ମାଲିକ ସଂଘ କହିଥିଲା । ଏନେଇ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ । ସେ କହିଥିଲେ ସରକାର ଆମ ଦାବି ଶୁଣିଛନ୍ତି, ଦାବି ଯଥାର୍ଥ ବୋଲି କହିଥିଲେ । ରାଜ୍ୟ ସରକାର ବସ୍ ମାଲିସ ସଂଘକୁ ଲିଖିତ ଭାବେ ଦେଲେ ଧର୍ମଘଟରୁ ଓହରିବୁ ବୋଲି ସେ କହିଥିଲେ ।

ତେବେ ଏମିତି କଣ ଘଟିଲା ଯେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ସକରାତ୍ମକ ହେଲାନି, ଯାହା ଫଳରେ ଘରୋଇ ବସ୍ ମାଲିକ ପୁଣି ଥରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ଧର୍ମଘଟ କରିବାକୁ ଆଜି ପୁଣି ଥରେ ଘୋଷଣା କରାଯାଇଛି।

ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ପାର୍ବଣ ସମୟରେ ବସ୍ ଚଳାଚଳ ନ ହେଲେ ଲୋକ ହଇରାଣ ହୋଇପାରନ୍ତି। ପୂଜା ଛୁଟିରେ ଧର୍ମଘଟ ପାଇଁ ପରିସ୍ଥିତି ବାଧ୍ୟ କରିଛି। ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ। ତେଣୁ ଲୋକଙ୍କୁ ଆଗୁଆ କ୍ଷମା ମାଗୁଛୁ ବୋଲି ସେ କହିଛନ୍ତି ।