FeaturedGeneralLatestPolitics

ମୁଖ୍ୟମନ୍ତ୍ରୀ ପଦବୀ ଛାଡିବା ପାଇଁ ପ୍ରସ୍ତୁତ, ହେଲେ ଚେୟାର ମୋତେ ଛାଡୁନାହିଁ ; ଗେହେଲଟ

ଜୟପୁର (ସଂକେତ ଟିଭି): ରାଜସ୍ଥାନ ଅଶୋକ ଗେହେଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଗେହେଲଟ କହିଛନ୍ତି ଯେ ‘‘ ମୁଁ ମୁଖ୍ୟମନ୍ତ୍ରୀ ପଦବୀ ଛାଡିବା ପାଇଁ ପ୍ରସ୍ତୁତ ଅଛି । କିନ୍ତୁ ସେହି ପଦବୀର ଦାୟିତ୍ବ ମତେ ଛାଡିବା ପାଇଁ ପ୍ରସ୍ତୁତ ନୁହେଁ ।

ସେହିପରି ସେ କ’ଣ ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି କି ପ୍ରଶ୍ନରେ ଗେହେଲଟ କହିଛନ୍ତି, ତାଙ୍କୁ ପ୍ରଥମ ଥର ପାଇଁ କଂଗ୍ରେସର ତତ୍କାଳୀନ ହାଇକମାଣ୍ଡ ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ । ମୁଖ୍ୟମନ୍ତ୍ରୀ ଆସନରେ କି’ଏ ବସିବ, ସେକଥା ଦଳର ହାଇକମାଣ୍ଡ ନିର୍ଦ୍ଧାରିତ କରନ୍ତି ।

ଦଳୀୟ କନ୍ଦଳକୁ ସମ୍ପୂର୍ଣ୍ଣ ସ୍ବୀକାର ନକରି ଗେହେଲଟ କହିଛନ୍ତି, ସେ ଯୁବନେତା ସଚିନ ପାଇଲଟଙ୍କୁ ମଧ୍ୟ ସମର୍ଥନ କରନ୍ତି । ତାଙ୍କ ଗୋଷ୍ଠୀରେ ଥିବା ବିଧାୟକମାନେ ମଧ୍ୟ ଚଳିତ ଥର ନିର୍ବାଚନ ଲଢିବା ପାଇଁ ଟିକେଟ ପାଇବେ । ମାତ୍ର କିଛି ଜଣଙ୍କର ଟିକେଟ କଟିପାରେ । ଦଳରେ ଭଲ ବିକଳ୍ପ ଓ ଯୋଗ୍ୟତା ଆଧାରରେ ଟିକେଟ୍‌ ମିଳେ । କେହି ଭଲ ବିକଳ୍ପ ମିଳିଲେ କିଛି ବିଧାୟକଙ୍କର ଟିକେଟ କଟିପାରେ ବୋଲି ଗେହେଲଟ କହିଛନ୍ତି ।

ଗେହଲଟ କହିଛନ୍ତି, ସଚିନଙ୍କ ମୋ ସହିତ କେତେ ଭଲପାଇବା ଅଛି ତାହା ମୁଁ ଆପଣଙ୍କୁ କେମିତି କହିବି? ବର୍ତ୍ତମାନ (ଗେହଲଟ୍ ଏବଂ ପାଇଲଟ୍) ଙ୍କ ମଧ୍ୟରେ କୌଣସି ଝଗଡା କାହିଁକି ହେଉନାହିଁ ବୋଲି ବିରୋଧୀ (ବିଜେପି) ଚିନ୍ତାରେ ପଡିଛି। ଏବେ ଆମେ ପୁରୁଣା ଝଗଡ଼ା ଭୁଲି ସାଙ୍ଗ ହୋଇ କାମ କରିବାକୁ ନିଷ୍ପତ୍ତି ନେଇଛୁ।