ଟିଡିପି ମୁଖ୍ୟ ଚନ୍ଦ୍ରବାବୁଙ୍କୁ ଗିରଫ କରିପାରିବନି ଆନ୍ଧ୍ର ପୋଲିସ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ (ସଂକେତ ଟିଭି): ଫାଇବର ନେଟ ଦୁର୍ନୀତି ମାମଲାରେ ଆସନ୍ତା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଟିଡିପି ମୁଖ୍ୟ ତଥା ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ର ପୋଲିସ ଗିରଫ କରିପାରିବ ନାହିଁ । ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି ।
ଜଷ୍ଟିସ ଅନିରୁଦ୍ଧ ବୋଷ ଓ ବେଲା ଏମ ତ୍ରିବେଦୀଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ରାୟ ନ ଆସିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି କୋର୍ଟ ଶୁଣାଣି କହିଛନ୍ତି । ଏହା ସହିତ ଫାଇବର ନେଟ ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣି ଆସନ୍ତା ନଭେମ୍ବର ୯ ତାରିଖରେ କରିବେ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି ।
ନାଇଡୁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ରାୟ ସଂରକ୍ଷିତ ଥିବାରୁ ଫାଇବର ନେଟ ମାମଲାରେ ଆନ୍ଧ୍ର ପୋଲିସ ନାଇଡୁଙ୍କୁ ନ୍ୟାୟିକ ହେପାଜତକୁ ନେବା ଲାଗି ଉଦ୍ୟମ କରୁଛି । ସେପଟେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାର କହିଛନ୍ତି ଯେ କୋର୍ଟଙ୍କ ରାୟକୁ ଅପେକ୍ଷା କରିବାରେ ସେମାନଙ୍କର କୌଣସି ସମସ୍ୟା ନାହିଁ ।
ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନାଇଡୁ ଆଗୁଆ ଜାମିନ ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହାକୁ ଖାରଜ କରିବା ପରେ ନାଇଡୁ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାସହିତ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ନାଇଡୁଙ୍କ ବିରୋଧରେ ଏଫଆଇଆର ଦାଏର ହୋଇଥିଲା । ଏହାକୁ ପ୍ରତ୍ୟାହାର କରିବା ଲାଗି ନିର୍ଦ୍ଦେଶ ଦେବାକୁ ନାଇଡୁ ପ୍ରଥମେ ଆନ୍ଧ୍ର ହାଇକୋର୍ଟରେ ଆବେଦନ କରିଥିଲେ । ମାତ୍ର ଏହି ଆବେଦନକୁ ଆନ୍ଧ୍ର ହାଇକୋର୍ଟ ଖାରଜ କରିବା ପରେ ଏହି ରାୟକୁ ସୁପ୍ରିମକୋର୍ଟରେ ସେ ଚ୍ୟାଲେଞ୍ଜ କରିଥିଲେ । ଏବେ ନାଇଡୁ ନ୍ୟାୟିକ ହେପାଜତରେ ରହିଛନ୍ତି ।
ଚନ୍ଦ୍ରବାବୁ ନାଇଡୁ ଯେତେବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ୩୩୦ କୋଟି ଟଙ୍କା ବ୍ୟୟରେ ଫାଇବର ନେଟ ପ୍ରକଳ୍ପ ଆରମ୍ଭ କରିଥିଲେ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମର ଟେଣ୍ଡର ସମୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା ।