FeaturedGeneralLatest

ଗାଜାକୁ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ (ସଂକେତ ଟିଭି): ଇସ୍ରାଏଲ ସେନା ଏବଂ ହମାସ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ବହୁ ଧନଜୀବନ ନଷ୍ଟ ହୋଇଛି । ଏହି ଭୟଙ୍କର ଯୁଦ୍ଧରେ ପାଲେଷ୍ଟାଇନ ଓ ଗାଜାରେ ସାଧାରଣ ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ଯୁଦ୍ଧ ପ୍ରଭାବୀ ଅଞ୍ଚଳକୁ ମାନବୀୟ ସହାୟତା ପଠାଇଛି ଭାରତ। ଗାଜାକୁ ମାନବୀୟ ସହାୟତା ପଠାଯାଇଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ ଭାରତ ଗାଜାକୁ ସହାୟତା ସାମଗ୍ରୀ ମଧ୍ୟରେ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ ଆଇଟମ୍, ଟେଣ୍ଟ୍, ଟର୍ପାଲିନ୍, ପରିମଳ ସୁବିଧା, ଜଳ ବିଶୋଧନ ଟାବଲେଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସାମିଲ ରହିଛି। ପାଲେଷ୍ଟାଇନବାସୀଙ୍କ ପାଇଁ ପ୍ରାୟ ୬.୫ ଟନ୍ ଚିକିତ୍ସା ସହାୟତା ଏବଂ ୩୨ଟନ୍ ବିପର୍ଯ୍ୟୟ ପ୍ରଶମନ ସାମଗ୍ରୀ ନେଇ ବାୟୁସେନାର ଗ୍ଲୋବମାଷ୍ଟର C-17 ବିମାନ ଇଜିପ୍ଟର ଏଲ୍-ଆରିଶ ବିମାନ ବନ୍ଦରକୁ ଯାଇଥିବା ରବିବାର ଦିନ ଭାରତ ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି ।