କାନାଡ଼ାରେ ଭିସା ସେବା ଆରମ୍ଭ କଲା ଭାରତ
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତ ସରକାର ପୁଣି ଥରେ କାନାଡୀୟଙ୍କ ପାଇଁ ଭିସା ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଏହା ଏକ ଭଲ ସଙ୍କେତ ବୋଲି କାନାଡା କହିଛି। ଅକ୍ଟୋବର ୨୬ ଅର୍ଥାତ୍ ଗୁରବାର ଠାରୁ କାନାଡାରେ ଭିସା ସେବା ଆଂଶିକ ଆରମ୍ଭ ହୋଇଛି। ଅଟାଓ୍ବାରେ ଭାରତୀୟ ହାଇ କମିଶନ ଏସମ୍ପର୍କରେ ସୂଚନା ଜାରି କରିଛନ୍ତି।
ବର୍ତ୍ତମାନ ଜଣେ ବ୍ୟକ୍ତି କେବଳ ଚାରୋଟି ବର୍ଗରେ ଭିସା ପାଇଁ ଆବେଦନ କରିପାରିବେ। କାନାଡାରେ ପ୍ରବେଶ, ବ୍ୟବସାୟ, ଚିକିତ୍ସା ଏବଂ ସମ୍ମିଳନୀ ଏହି ୪ଟି ବର୍ଗ ପାଇଁ ଭିସା ଆବେଦନ କରିହେବ ବୋଲି ହାଇ କମିଶନର କହିଛନ୍ତି।
ନିକଟରେ ଖଲିସ୍ତାନୀ ଆତଙ୍କବାଦୀ ହରଦିପ୍ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତ-କାନାଡା ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିଲା। ଏଥିପାଇଁ ଭାରତ ସେପ୍ଟେମ୍ବର ୨୧ରୁ କାନାଡା ଭିସା ସେବାକୁ ସ୍ଥଗିତ ରଖିଥିଲା ।