ଡାକ୍ତର ନଥିବାରୁ ଡାକ୍ତରଖାନାରେ ନିଜେ ରୋଗୀ ଦେଖିଲେ ବିଧାୟକ
ରାଉରକେଲା (ସଂକେତ ଟିଭି): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ରୋଗୀ ଦେଖିଲେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି.ଏସ୍ ରାଜନ ଏକ୍କା। ଡାକ୍ତରଖାନାର ସମସ୍ତ ଡାକ୍ତର ପୂଜା ପାଇଁ ଛୁଟିରେ ଯାଇଛନ୍ତି । ଫଳରେ ହଇରାଣ ହେଉଛନ୍ତି ରୋଗୀ।
ସୂଚନା ଅନୁସାରେ, ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୬ ଜଣ ଡାକ୍ତର ଅଛନ୍ତି। ଏହି ୬ ଡାକ୍ତରଙ୍କ ମଧ୍ୟରୁ ଦଶହରା ପାଇଁ ୫ ଜଣ ଛୁଟିରେ ଯାଇଛନ୍ତି। ତେଣୁ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀ ଦେଖୁଛନ୍ତି। ମାତ୍ର ଜଣେ ଡାକ୍ତର ଥିବାରୁ ରୋଗୀମାନେ ହଇରାଣ ହେଉଛନ୍ତି। ଏହି ଖବର ପାଇ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି.ଏସ୍ ରାଜନ ଏକ୍କା ଡାକ୍ତରଖାନା ପରିଦର୍ଶନରେ ଆସିଥିଲେ । ସେ ସିଡିଏମ୍ଓଙ୍କୁ ଫୋନ କରିଥିଲେ । ସିଡିଏମଓ ସମସ୍ୟାର ସମାଧାନ ନେଇ ଅକ୍ଷମତା ପ୍ରକାଶ କରିବାରୁ ବିଧାୟକ ନିଜେ ରୋଗୀ ଦେଖିବାକୁ ବସିଥିଲେ।
ବିଧାୟକ ଡାକ୍ତର ସି.ଏସ୍ ରାଜନ ଏକ୍କା କହିଛନ୍ତି, ଡାକ୍ତରମାନେ ଛୁଟିରେ ଯାଇଛନ୍ତି ବୋଲି ସିଡିଏମଓ ମୋତେ କହିଥିଲେ। ସିଡିଏମଓ ନୂଆ ଆସିଛନ୍ତି। ଅନ୍ୟ ଡାକ୍ତର ଯୋଗାଇ ଦେବା ନେଇ ସେ ତାଙ୍କ ଅକ୍ଷମତା ମଧ୍ୟ ପ୍ରକାଶ କରିଥିଲେ। ସିଡିଏମଓଙ୍କ କଥା ଶୁଣି ମୁଁ ନିଜେ ରୋଗୀ ଦେଖି ପାରିବି ବୋଲି ଭାବିଥିଲି। ଏଇଟା ମୋ ପ୍ରୋଫେସନ୍। ଡାକ୍ତରଖାନା ପାଇଁ ଆହୁରି ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଏନେଇ ମୁଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବି।
ସେ ଆହୁରି କହିଛନ୍ତି, ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ନାହାନ୍ତି ବୋଲି ମୁଁ ବିଧାନସଭାରେ ମଧ୍ୟ କଥା ଉଠାଇଥିଲି। ହେଲେ ଏପର୍ଯ୍ୟନ୍ତ ଆବଶ୍ୟକ ଡାକ୍ତର ଦିଆଯାଇନାହିଁ।