୫୦ରେ ପହଞ୍ଚିଲା ପିଆଜ ଦର
ଭୁବନେଶ୍ବର (ସଂକେତ ଟିଭି): ପିଆଜ ଦର ଓଡିଶା ଖୁଜୁରା ବଜାରରେ ୫୦ରୁ ୬୦ଟଙ୍କାରେ ପହଞ୍ଚିଛି। ଏକ ସପ୍ତାହ ପୂର୍ବରୁ ପିଆଜ ୩୦ରୁ ୪୦ ଟଙ୍କା କିଲୋଗ୍ରାମରେ ମିଳୁଥିଲା। ତେବେ ଗୋଟିଏ ସପ୍ତାହରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ପିଆଜ ମହଙ୍ଗା ହୋଇସାରିଛି। ଡିସେମ୍ବରରେ ନୂଆ ଫସଲ ଆସିବା ପୂର୍ବରୁ ମହଙ୍ଗା ପିଆଜରୁ କୌଣସି ଆଶ୍ୱସ୍ତି ମିଳିବା ନେଇ ସମ୍ଭାବନା ନାହିଁ। ପିଆଜ ମୂଲ୍ୟ ବୃଦ୍ଧି ହେବାର ଧାରା ଆଗାମୀ କିଛି ଦିନ ପାଇଁ ଜାରି ରହିପାରେ।
ଦେଶର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରର ମଣ୍ଡିଗୁଡ଼ିକରେ ସବୁଠାରୁ ଭଲ ମାନର ଥିବା ପିଆଜର ପାଇକାରୀ ମୂଲ୍ୟ କିଲୋ ପିଛା ୫୦ ଟଙ୍କା ଅତିକ୍ରମ କରିଗଲାଣି। ତେଣୁ ଆଗକୁ ଖୁଚୁରା ବଜାରରେ ଦର କିଭଳି ରୂପ ନେବ, ତାହା ଏଥିରୁ ଅନୁମାନ କରାଯାଇପାରେ।
ସରକାର ଏହାର ବଫର ଷ୍ଟକରୁ ଏନ୍ସିସିଏପ୍ ଏବଂ ଏନ୍ଏଏଫ୍ଇଡି ମାଧ୍ୟମରେ ପିଆଜ ବିକ୍ରି କରିବାକୁ ଘୋଷଣା କରିଥିଲେ। ପ୍ରାଇସ ଷ୍ଟାବିଲାଇଜେଶନ ପାଣ୍ଠି ମାଧ୍ୟମରେ ସରକାର ପିଆଜର ଏକ ବଫର୍ ଷ୍ଟକ ମଧ୍ୟ ସୃଷ୍ଟି କରିଛନ୍ତି ଯାହା ଦ୍ୱାରା ସାଧାରଣ ଗ୍ରାହକଙ୍କୁ ପିଆଜ ମୂଲ୍ୟର ତୀବ୍ର ବୃଦ୍ଧିରୁ ଆରାମ ମିଳିପାରିବ। ପିଆଜ ରପ୍ତାନିକୁ ରୋକିବା ପାଇଁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ମଧ୍ୟ ଲାଗୁ କରାଯାଇଥିଲା। କିନ୍ତୁ ଏହା ସତ୍ତ୍ୱେ ଖୁଚୁରା ବଜାରରେ ପିଆଜ ଦର ବୃଦ୍ଧି ପାଉଛି।
ବ୍ୟବସାୟୀଙ୍କ କହିବା କଥା, ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢ଼ିଛି। ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି। ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି।