BusinessFeaturedGeneralLatest

ବିପଦରେ ବିଶ୍ବ ଅର୍ଥନୀତି, ଚେତାଇଲା ବିଶ୍ବ ବ୍ୟାଙ୍କ

ନୂଆଦିଲ୍ଲୀ (ସଂକେତ ଟିଭି): ବିଶ୍ୱ ବ୍ୟାଙ୍କ ମୁଖ୍ୟ ଅଜୟ ବାଙ୍ଗା କହିଛନ୍ତି ଯେ ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥବ୍ୟବସ୍ଥାରେ ଏବେ ଅନିଶ୍ଚିତତାର ମାହୋଲ ରହିଛି । ଏହି ଯୁଦ୍ଧ ବିଶ୍ୱ ଅର୍ଥବ୍ୟବସ୍ଥା ଏବଂ ଏହାର ବିକାଶକୁ ବଡ଼ ଝଟ୍‌କା ଦେଇପାରେ ସେ ଚେତାବନି ଦେଇଛନ୍ତି ।

ସାଉଦି ଆରବରେ ଏକ ନିବେଶକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, ବିଶ୍ୱରେ ଏବେ ଯାହା କିଛି ହେଉଛି ତାହା ଅର୍ଥବ୍ୟବସ୍ଥାଗୁଡ଼ିକୁ ବଡ଼ ମାତ୍ରାରେ ପ୍ରଭାବିତ କରିବାକୁ ଯାଉଛି । ଭୁ-ରାଜନୈତିକ ସମସ୍ୟା ଦିନକୁ ଦିନ ଅଧିକ ଭୟଙ୍କର ହେଉଛି । ଏସବୁ ବିଶ୍ୱ ବିକାଶ ହାରକୁ ସଂକୁଚିତ କରିବ ।

ବାଙ୍ଗା କହିଛନ୍ତି ଯେ, ବିଶ୍ୱ ଅର୍ଥବ୍ୟବସ୍ଥା ପାଇଁ ସବୁଠାରୁ ବଡ଼ ବିପଦ ହେଉଛି ଭୁ-ରାଜନୈତିକ ସମସ୍ୟା । ଏହା ଯୋଗୁ ଆର୍ଥିକ ବିପତ୍ତି ବଢ଼ିଥାଏ । ଏହାକୁ ଅଣଦେଖା କରିବା ଉଚିତ ନୁହେଁ ।

ସୂଚନା ଅନୁସାରେ, ଇସ୍ରାଏଲ-ହମାସ ଯୁଦ୍ଧ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୬ରେ ଭାରତୀୟ ସେୟାର ବଜାର ସୂଚକାଙ୍କ ସେନ୍‌ସେକ୍ସ ୬୫,୯୯୬ ପଏଣ୍ଟରେ ଥିଲା, ଯାହା ଏବେ ୧,୪୨୫ ପଏଣ୍ଟ ସଂକୁଚିତ ହୋଇ ୬୪,୦୪୯ ପଏଣ୍ଟକୁ ଖସିଯାଇଛି । ଆଲୋଚ୍ୟ ସମୟରେ ଆମେରିକୀୟ ସେୟାର ବଜାର ୧୩,୪୩୧ ପଏଣ୍ଟରୁ ଖସି ୧୩,୦୧୮ ପଏଣ୍ଟକୁ ଆସିଯାଇଛି ।