BusinessFeaturedGeneralLatest

ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ, ୨୦କୋଟି ନଦେଲେ ଗୁଳି କରି ହତ୍ୟା କରାଯିବ

ମୁମ୍ବାଇ (ସଂକେତ ଟିଭି): ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଇମେଲ ଜରିଆରେ କେହି ଦୁର୍ବୃତ୍ତ ହତ୍ୟା ଧମକ ଦେଇଛି । ୨୦ କୋଟି ଟଙ୍କା ଦିଅ ନହେଲେ ଗୁଳି କରି ହତ୍ୟା କରାଯିବ ବୋଲି ଧମକ ପୂର୍ଣ୍ଣ ମେଲ ଆସିଛି । ଶୁକ୍ରବାର ଏପରି ମେଲ ଆସିବା ପରେ ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

ମେଲରେ ଉଲ୍ଲେଖ ରହିଛି ଯେ, ମୁକେଶ ଅମ୍ବାନୀ ଯଦି ୨୦ କୋଟି ଟଙ୍କା ଦେବାରେ ବିଫଳ ହୁଅନ୍ତି ତେବେ ତାଙ୍କୁ ଗୁଳି କରି ହତ୍ୟା କରାଯିବ । ଏହି ଘଟଣା ପରେ ଗାମଦେବୀ ପୋଲିସ ‘ଆଇପିସି’ ଧାରା ୩୮୭ ଓ ୫୦୬ (୨) ଅନୁଯାୟୀ ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ ୨୦୨୨ରେ ମୁକେଶ ଅମ୍ବାନୀଙ୍କ ପରିବାରୁ ଦୁଇଥର ହତ୍ୟା ଧମକ ଆସିଥିଲା । ଅଗଷ୍ଟରେ ଜଣେ ୫୬ ବର୍ଷୀୟ ସୁନା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପରିବାରକୁ ଧମକ ଦେଇଥିଲା । ପୋଲିସ ଅଭିଯୋଗକୁ ଭିତ୍ତି କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସେ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଅଭିଯୁକ୍ତର ନାଁ ବିଷ୍ଣୁ ବିଧୁ ଭୌମିକ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଥିଲା । ବିଷ୍ଣୁ ୯ଥର ହସ୍ପିଟାଲକୁ ଫୋନ କରି ଧମକ ଦେଇଥିଲା ।

ଏହାପରେ ପୁଣି ସେପ୍ଟେମ୍ବର ମାସରେ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଲ୍ୟାଣ୍ଡ ଲାଇନକୁ ଏକ ଅଜଣା ବ୍ୟକ୍ତିଙ୍କର କଲ୍‌ ଆସିଥିଲା । ଯିଏକି ଏପରି ଧମକ ଦେଇଥିଲେ । କଲ୍ କରିଥିବା ବ୍ୟକ୍ତି ଅମ୍ବାନୀ ପରିବାରର କିଛି ଲୋକଙ୍କ ନାଁ ନେଇ ଧମକ ଦେଇଥିଲା । ଏହି ଘଟଣାରେ ରାଜେଶ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା।