ରବିବାରଠାରୁ ଖୋଲିବ ଶିକ୍ଷକ ବଦଳି ପୋର୍ଟାଲ
ଭୁବନେଶ୍ୱର (ସଂକେତ ଟିଭି): ଅକ୍ଟୋବର ୨୯ ଅର୍ଥାତ୍ ରବିବାରଠାରୁ ଶିକ୍ଷକ ବଦଳି ପୋର୍ଟାଲ ଖୋଲିବ। ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଏଥିପାଇଁ କେବଳ ଅନ୍ଲାଇଲ୍ରେ ଆବେଦନ କରିପାରିବେ। ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଆନ୍ତଃଜିଲ୍ଲା ବଦଳି ପାଇଁ ଶିକ୍ଷକମାନେ ଆବେଦନ କରିପାରିବେ । ମାଧ୍ୟମିକ ଶିକ୍ଷକ ନିର୍ଦ୍ଦେଶାଳୟ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରି ଏହା ଅବଗତ କରିଛି ।
ସୂଚନା ଅନୁସାରେ, ବିଭାଗ ନେଇଥିବା ନୂଆ ନିଷ୍ପତ୍ତି ଅନୁସାରେ ନିୟମିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କର ସମାନ ଗ୍ରେଡ୍ ଓ ଲେଭଲ୍ ଏବଂ ସମାନ ସାମାଜିକ ବର୍ଗର ସହମତି ଭିତ୍ତିରେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଶିକ୍ଷାଗତ ଯୋଗ୍ୟ ଏହି କ୍ଷେତ୍ରରେ ନିର୍ଦ୍ଧାରକ ହେବନାହିଁ । ସେହିପରି ଯଦି ଉଭୟ ପତିପତ୍ନୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବେ ତା’ହେଲେ ସେମାନେ କାର୍ଯ୍ୟ କରୁଥିବା କୌଣସି ଏକ ଜିଲ୍ଲାକୁ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ଏଥିପାଇଁ ସମାନ ସାମାଜିକ ବର୍ଗ, ଗ୍ରେଡ୍ ଓ ଲେଭଲ ପଦବୀ ଖାଲି ଥିବା ଜରୁରୀ ।ସମାନ ସାମାଜିକ ବର୍ଗ ଓ ପଦ ଖାଲିଥିବା ସ୍ତରରେ ଅନୁଯାୟୀ ସେମାନେ ଚାକିରି କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ବଦଳି ହୋଇପାରିବେ।
ଶାରୀରିକ ଭିନ୍ନକ୍ଷମ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ବଦଳିକୁ ରାଜ୍ୟ ମେଡିକାଲ ବୋର୍ଡ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ୍ ଦ୍ୱାରା ହିଁ ବିଚାରକୁ ନିଆଯିବ। ସେହିପରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ପତି କିମ୍ବା ପତ୍ନୀ ଅବା ସେମାନଙ୍କର ସନ୍ତାନ ଯଦି କୌଣସି ଟର୍ମିନାଲ ରୋଗରେ ପୀଡ଼ିତ ଥିବେ,ତା’ହେଲେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ମେଡିକାଲ ବୋର୍ଡର ପ୍ରମାଣପତ୍ର ଆବଶ୍ୟକ ପଡ଼ିବ । ତେବେ ଉକ୍ତ ଶିକ୍ଷକଙ୍କ ପାଇଁ ଉପଯୁକ୍ତ ସ୍ତରରେ ପଦବୀ ଖାଲି ଥିବା ଜରୁରୀ । ଏଥି ସହିତ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସନ୍ତାନମାନଙ୍କର ଶାରୀରିକ ଭିନ୍ନକ୍ଷମତା ୯୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଏବଂ ଜିଲ୍ଲା ମେଡିକାଲ ବୋର୍ଡ ଘରୋଇ ତତ୍ତ୍ୱାବଧାନ ପାଇଁ ସେ ପିଲାମାନଙ୍କୁ ସାର୍ଟିଫିକେଟ ଦେଇଥିବେ ସେ କ୍ଷେତ୍ରରେ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆନ୍ତଃଜିଲ୍ଲା ବଦଳି ପାଇଁ ବିଚାରକୁ ନିଆଯିବ।