ଗର୍ଭବତୀ ବିଧବା ଝିଅକୁ ଗୋଇଠା ମାରି ହତ୍ୟା କଲା ବାପା
ବାରିପଦା (ସଂକେତ ଟିଭି): ଚରିତ୍ରକୁ ସନ୍ଦେହ କରି ଗର୍ଭବତୀ ବିଧବା ଝିଅକୁ ଗୋଇଠା ମାରି ହତ୍ୟା କଲା ବାପା। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଥରଖଣି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ସାକର ଟୁଡୁ। ଅଭିଯୁକ୍ତ ବାପା ଜିଠୁ ଟୁଡୁକୁ ଗିରଫ କରିଲା କପ୍ତିପଦା ପୁଲିସ। ସ୍ୱାମୀ ମରିବାର ଏକ ବର୍ଷ ପରେ ଝିଅ ଗର୍ଭବତୀ ହେବାରୁ ଅଭିଯୁକ୍ତ ବାପା ଝିଅର ପେଟକୁ ଗୋଇଠା ମାରି ହତ୍ୟା କରିଥିବା ଜଣାଯାଇଛି।
ପଥରଖଣି ଗ୍ରାମର ଜିଠୁ ଟୁଡୁଙ୍କ ଝିଅ ସାକର ଟୁଡୁ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ୩ ବର୍ଷର ଝିଅଟିଏ ରହିଛି। ହେଲେ ସାକରଙ୍କ ସ୍ୱାମୀ ମଙ୍ଗଲ ମୁର୍ମୁଙ୍କର ଏକ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସାକର ଆସି ନିଜ ବାପଘରେ ରହୁଥିଲେ। ଶୁକ୍ରବାର ଦିନ ସାକର ୫ ମାସର ଗର୍ଭବତୀ ଥିବା ତାଙ୍କ ବାପା ଜାଣିବାକୁ ପାଇଥିଲେ। ଏନେଇ ସେ ସାକରଙ୍କୁ ପଚାରିଥିଲେ ଏବଂ ଉତକ୍ଷିପ୍ତ ହୋଇ ଗର୍ଭବତୀ ସାକର ପେଟକୁ ଗୋଇଠା ମାରିଥିଲେ। ତତସହିତ ବାଡ଼ିରେ ବାଡ଼େଇଥିଲେ, ଯେଉଁଥିରେ ସାକରଙ୍କ ମୃତ୍ୟୁ ଘଟିଥିଲା।
ହେଲେ ଏ ନେଇ କପ୍ତିପଦା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ବାପା ଜିଠୁ ଟୁଡୁକୁ ଗିରଫ କରିଛି।