FeaturedGeneralLatestPolitics

ନିର୍ବାଚନ ପ୍ରଚାର ସମୟରେ ସାଂସଦଙ୍କ ଉପରକୁ ଛୁରାମାଡ

ହାଇଦ୍ରାବାଦ (ସଂକେତ ଟିଭି): ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସାଂସଦଙ୍କ ଉପରକୁ ଛୁରାମାଡ କରାଯାଇଛି। ତେଲେଙ୍ଗାନାର ସିଦ୍ଧିପେଟ ଜିଲ୍ଲାର ଦୌଲତାବାଦ ମଣ୍ଡଳ ଅନ୍ତର୍ଗତ ସୁରାମପାଲ୍ଲୀରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ତେଲେଙ୍ଗାନାରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ସାଂସଦ ତଥା ଚଳିତ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଲଢୁଥିବା କୋଟା ପ୍ରଭାକର ରେଡ୍ଡୀଙ୍କୁ ଏହି ଛୁରାମାଡ ହୋଇଛି । ତାଙ୍କ ପେଟରେ ଆଘାତ ଲାଗିଛି ଓ ପ୍ରଥମେ ଗଜଓ୍ବେଲ ସରକାରୀ ହସ୍ପିଟାଲ ଓ ପରେ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ତେଲେଙ୍ଗାନାର ଶାସକ ଦଳ ବିଆରଏସ ସାଂସଦ କୋଟା ପ୍ରଭାକର ରେଡ୍ଡୀଙ୍କୁ ଦୁବକା ବିଧାନସଭା ଆସନରୁ ଟିକେଟ୍ ଦେଇଛି। ପୁଲିସର ସୂଚନାନୁସାରେ, ସିଦ୍ଧଦୀପ ଜିଲ୍ଲାରେ ପ୍ରଚାର କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ପ୍ରଭାକର ରେଡ୍ଡୀଙ୍କ ପେଟରେ ଆଘାତ ଲାଗିଛି । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।

ପୁଲିସ କହିଛି ଯେ ପ୍ରଭାକର ରେଡ୍ଡୀ ଦୌଲତାବାଦ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ପ୍ରଚାର ସମୟରେ ସାଂସଦ ରେଡ୍ଡିଙ୍କ ନିକଟକୁ ଜଣେ ଅଜ୍ଞାତ ବ୍ୟକ୍ତି ଆସିଥିଲେ। ସେ ତାଙ୍କ ସହ ହାତ ମିଳାଇବାକୁ ଆସୁଥିବା ଅନୁମାନ କରୁଥିଲେ ଉପସ୍ଥିତ ଲୋକ। କିନ୍ତୁ ସେ ହଠାତ୍ ଛୁରୀ ବାହାର କରି ସାଂସଦଙ୍କୁ ଆକ୍ରମଣ କରିଥିଲେ।

ଛୁରାମାଡ଼ ପରେ ପ୍ରଭାକର ରେଡ୍ଡୀ ରକ୍ତସ୍ରାବକୁ ବନ୍ଦ କରିବା ପାଇଁ ତାଙ୍କ ପେଟକୁ ଦବାଇ ବସିଥିବା କିଛି ଟିଭି ଫୁଟେଜରେ ଦେଖିବାକୁ ମିଳିଛି । ସାଂସଦଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ କାବୁକରି ମାଡ଼ ମାରିଥିଲେ। ସିଦ୍ଧଦୀପ ପୁଲିସ କମିଶନର ଏନ ଶ୍ବେତା କହିଛନ୍ତି, “ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି।

ଆକ୍ରମଣ କରିଥିବା ଅଭିଯୁକ୍ତର ନାମ ଦାଟ୍ଟାନୀ ରାଜୁ ବୋଲି ଜଣାପଡିଛି । ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଭାବେ ଅଭିଯୁକ୍ତ କେଉଁ ଦଳ ସହ ସମ୍ପୃକ୍ତ ସେ ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ରାଜନୈତିକ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି । ତେବେ ଏହି ହତ୍ୟା ଉଦ୍ୟମ ପଛରେ ବିଜେପି ବିଧାୟକ ରଘୁନନ୍ଦନ ରେଡ୍ଡୀଙ୍କ ଭୂମିକା ଥିବା ବିଆରଏସ ଅଭିଯୋଗ କରିଛି ।