ରେଳ ସୁରକ୍ଷା ନେଇ କେନ୍ଦ୍ର ସରକାରଙ୍କ ଦାବି ଏକ ଧୁଆଁବାଣ: ଖଡ଼ଗେ
ନୂଆଦିଲ୍ଲୀ (ସଂକେତ ଟିଭି): : ଆନ୍ଧ୍ରପ୍ରଦେଶରେ ଟ୍ରେନ୍ ଦୁର୍ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଟ୍ରେନ୍ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ, ଏହି ଦୁର୍ଘଟଣାରେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସହାୟତା ଯୋଗାଇ ଦେବାକୁ ମୁଁ କଂଗ୍ରେସ କର୍ମୀଙ୍କୁ ଅନୁରୋଧ କରୁଛି । ଏଥିରୁ ଜଣାପଡୁଛି ଯେ ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ରେଳ ସୁରକ୍ଷା ନେଇ ଦେଇଥିବା ପ୍ରତିଶୃତି ପବନ ପରି ଉଡ଼ି ଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଖଡଗେ କହିଛନ୍ତି ଯେ, ଓଡ଼ିଶା ବାଲେଶ୍ବରରେ ହୋଇଥିବା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ପରେ ଆନ୍ଧ୍ରପ୍ରଦେଶ ଟ୍ରେନ୍ ଦୁର୍ଘଟଣା ଦ୍ବିତୀୟ ବଡ଼ ଘଟଣା। ଯେତେବେଳେ ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନ ଗୁଡିକୁ ସବୁଜ ପତକା ଦେଖାଇ ଉତ୍ସାହର ସହ ଉଦଘାଟନ କରାଯାଉଛି ସେହିପରି ରେଳ ସୁରକ୍ଷା ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଖଡଗେ କହିଛନ୍ତି।
ରବିବାର ସନ୍ଧ୍ୟାରେ ଓଡ଼ିଶା ସୀମାବର୍ତ୍ତୀ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ବିଶାଖାପାଟନମ-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଓ ପଲାସା ବିଶାଖାପାଟନମ୍ ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା