ବିଧାୟକଙ୍କ ଘରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ
ମୁମ୍ବାଇ (ସଂକେତ ଟିଭି): ମହାରାଷ୍ଟ୍ରରେ ଏନସିପି ବିଧାୟକ ପ୍ରକାଶ ସୋଲଙ୍କେଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। କେବଳ ଏତିକି ନୁହେଁ, ବିକ୍ଷୋଭକାରୀମାନେ ବିଡ୍ସ୍ଥିତ ଏନସିପି ବିଧାୟକ ପ୍ରକାଶ ସୋଲଙ୍କେଙ୍କ ବାସଭବନରେ ପ୍ରଥମେ ଭଙ୍ଗାରୁଜା କରିଥିଲେ ଏବଂ ପରେ ଘରେ ନିଆଁ ଲଗାଇ ଦେଇଥିଲେ। ଉତ୍ୟକ୍ତ ବିକ୍ଷୋଭକାରୀ ଅନେକ ବାଇକ୍ ଓ କାରରେ ନିଆଁ ଲଗାଇବା ସହ ଘର ଜାଳି ଦେଇଛନ୍ତି।
ଘର ଜାଳିଦେବା ଘଟଣା ପରେ ପ୍ରକାଶ ସୋଲଙ୍କେଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ବିକ୍ଷୋଭକାରୀମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ବେଳେ ସେ ଏବଂ ତାଙ୍କ ପରିବାର ଘର ଭିତରେ ଥିଲେ। ସେ କହିଛନ୍ତି ଯେ, ସୌଭାଗ୍ୟବସତଃ ତାଙ୍କ ପରିବାର ଏବଂ ଘରର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏହି ଘଟଣାରେ ସେମାନଙ୍କର କୌଣସି କ୍ଷତି ହୋଇନାହିଁ। କିନ୍ତୁ ନିଆଁ ଲଗାଇବା କାରଣରୁ ତାଙ୍କର ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ଘଟିଛି।
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ପ୍ରକାଶ ସୋଲଙ୍କେଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏଥିରେ ମରାଠା ସଂରକ୍ଷଣ ଦାବି କରୁଥିବା ନେତା ମନୋଜ ଜରାଙ୍ଗେଙ୍କ ବିରୋଧରେ ସେ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ପ୍ରକାଶଙ୍କ ଘର ଉପରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଛି।
ମହାରାଷ୍ଟ୍ରରେ ଦୀର୍ଘ ଦିନ ଧରି ମରାଠା ଆରକ୍ଷଣ ଦାବିରେ ଆନ୍ଦୋଳନ ଜାରି ରହିଛି। ଏହାପୂର୍ବରୁ ମରାଠା ଆରକ୍ଷଣ ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ପାଟିଲ ଶନିବାର ଜାଲନା ଜିଲ୍ଲାରେ ଏକ ରାଲିର ଆୟୋଜନ କରିଥିଲେ। ଏଥିରେ ସେ ସିନ୍ଦେ ସରକାରଙ୍କୁ ୧୦ ଦିନର ଅଲ୍ଟିମେଟମ୍ ଦେଇଥିଲେ। ୧୦ ଦିନ ପରେ ସେ ବିଜୟ ଶୋଭାଯାତ୍ରା ଆରମ୍ଭ କରିବେ ବୋଲି କହିଥିଲେ।