ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ୪ ସପ୍ତାହ ପାଇଁ ସର୍ତ୍ତ ମୂଳକ ଜାମିନ
ବିଜୟଓ୍ବାଡା (ସଂକେତ ଟିଭି): କୌଶଳ ବିକାଶ ଘୋଟଲା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି । ଚନ୍ଦ୍ରବାବୁ ନାଇଡୁ ଚାରି ସପ୍ତାହ ପାଇଁ ଅନ୍ତରୀଣ ଜାମିନରେ ଜେଲ ବାହାରକୁ ଆସିବେ। ଆସନ୍ତାକାଲି ଶେଷ ହେବ ଚନ୍ଦ୍ରବାବୁ ନାଇଡୁଙ୍କ ନ୍ୟାୟିକ ହାଜତ ଅବଧି। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ମୋତିଆବିନ୍ଦୁ ଅସ୍ତ୍ରୋପଚାର ଆବଶ୍ୟକତା ବିଷୟରେ ତାଙ୍କ ଓକିଲ କୋର୍ଟରେ ଉପସ୍ଥାପନା କରିଥିଲେ।
ନଭେମ୍ବର 28 ତାରିଖ ସୁଦ୍ଧା ସେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର 18 ତାରିଖରେ ନାଇଡୁଙ୍କ ପରିବାର ସଦସ୍ୟ ଏବଂ ଟିଡିପି ନେତାମାନେ ତାଙ୍କୁ ଜେଲ୍ରେ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଚନ୍ଦ୍ରବାବୁ ନାଇଡୁଙ୍କୁ ତାଙ୍କ ପତ୍ନୀ, ପୁଅ ଓ ବୋହୂ ଭେଟିଥିଲେ । ପରେ ଗଣମାଧ୍ୟମ ସମ୍ମୁଖରେ ଟିଡିପି ନେତା ନାଇଡୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିବା କହିଥିଲେ । ସେମାନେ କହିଥିଲେ ଯେ, ସ୍ବାସ୍ଥ୍ୟାବସ୍ଥାରେ ସୁଧାର ପାଇଁ ଯେଉଁ ଔଷଧ ଦିଆଯାଉଛି ସେଥିରେ କୌଣସି ଫଳପ୍ରଦ ହେଉନାହିଁ । ଡାକ୍ତରୀ ପରୀକ୍ଷା ପାଇଁ ଆମେ ଜେଲ୍ କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଛୁ ।
ଦକ୍ଷତା ବିକାଶ ଯୋଜନାରେ 371 କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ତେଲୁଗୁ ଦେଶମ ପାର୍ଟୀ ମୁଖ୍ୟ ଏନ ଚନ୍ଦ୍ରବାବୁଙ୍କୁ ସେପ୍ଟେମ୍ବର 9 ତାରିଖରେ ଗିରଫ କରାଯାଇଥିଲା । ନନ୍ଦାଲ ଜିଲ୍ଲାର ବନଗନପଲ୍ଲୀରେ ଏକ ଜନସଭାକୁ ସମ୍ବୋଧିତ କରି ଭ୍ୟାନରେ ବିଶ୍ରାମ ନେଉଥିବା ବେଳେ ଭୋର୍ ପ୍ରାୟ 3ଟା ସମୟରେ ସିଆଇଡି ତାଙ୍କୁ ଉଠାଇ ନେଇଥିଲା । ବିଜୟଓ୍ବାଡା କୋର୍ଟ ମାମଲାର ଶୁଣାଣି କରି ତାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ । ଏବେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ୍ ମିଳିଛି । 52 ଦିନ ଜେଲର ରହିବା ପରେ 4 ସପ୍ତାହ ପାଇଁ ବାହାରକୁ ଆସିବେ ।