FeaturedGeneralLatestPolitics

ଫୋନ ହ୍ୟାକିଂ ଅଭିଯୋଗ ଆଣିଲେ ବିରୋଧୀ, କେନ୍ଦ୍ରକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ (ସଂକେତ ଟିଭି): ଫୋନ୍ ହ୍ୟାକିଂ କରାଯାଉଥିବା ନେଇ ଆପଲ୍ ପକ୍ଷରୁ ସେମାନଙ୍କୁ ଏକ ଚେତାବନୀ ମିଳିଛି । ଏଥିରେ କୁହାଯାଇଥିଲା ଯେ ସରକାର ପ୍ରାୟୋଜିତ ହ୍ୟାକର କେଉଁ ଦୂର ସ୍ଥାନରୁ ତାଙ୍କ ଆଇଫୋନକୁ ଭେଦିବା ପାଇଁ ପ୍ରାୟସ କରୁଛି । ଏହାପରେ ବିରୋଧି ଦଳ ନେତାମାନେ ତାଙ୍କ ଫୋନ ହ୍ୟାକିଂ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି । କଂଗ୍ରେସର ଶଶି ଥରୁର, ପୱନ ଖେଡା, କେସି ବେଣୁଗୋପାଳ, ଆପ୍ ସାଂସଦ ରାଘବ ଚଡ୍ଡା, ଶିବସେନା(ୟୁବିଟି)ର ପ୍ରିୟଙ୍କା ଚର୍ତୁବେଦୀଙ୍କ ସହ ଅନ୍ୟ କିଛି ସାଂସଦ ତାଙ୍କ ଫୋନ ହ୍ୟାକ୍ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସେମାନେ ନିଜ ଏକ୍ସ ହ୍ୟାଣ୍ଡଲରେ ମେସେଜ ସ୍କ୍ରିନ୍‌ସଟ ସେୟାର କରିଛନ୍ତି ।

କଂଗ୍ରେସ ନେତା ଶଶି ଥରୁର ସୋସିଆଲ ମିଡିଆରେ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଆପଲ ଆଇଡିରୁ threat notificatio@apple.com ରେ ତାଙ୍କ ନିକଟକୁ ଆଲର୍ଟ ମେସେଜ ଆସିଛି । ଯାହା ମୁଁ ଯାଞ୍ଚ କରିସାରିଛି । ତେବେ ଏହାର ପ୍ରାମାଣିକତା ନିଶ୍ଚିତ ହୋଇଛି । ମୋ ପରି ଟିକସଦାତାଙ୍କ ଖର୍ଚ୍ଚରେ ଅଳ୍ପରୋଜଗାରୀ ଅଧିକାରୀଙ୍କୁ ବ୍ୟସ୍ତ ରଖିବାକୁ ନେଇ ମୁଁ ଖୁସି ଅଛି ! ଏହା ଛଡା ଆଉ କିଛି ଗୁରୁତ୍ବପୂର୍ଣ୍ଣ ନଥିବ ବୋଧେ ?

ତେବେ କଂଗ୍ରେସ ନେତା ଓ ମୁଖପାତ୍ର ପଓ୍ବନ ଖେରା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ହ୍ୟାକିଂ ଓ୍ବାର୍ଣ୍ଣିଂ ସ୍କ୍ରିନସଟ ସେୟାର କରିବା ସହ ମୋଦି ସରକାର, ତୁମେ କଣ ପାଇଁ ଏଭଳି କରୁଛି ଲେଖିଛନ୍ତି । କେବଳ କଂଗ୍ରେସ ନେତା ନୁହଁନ୍ତି ବରଂ ତୃଣମୂଳ କଂଗ୍ରେସ, ଆପ ଦଳର ଅନେକ ନେତା ଏଭଳି ଅଭିଯୋଗ ଆଣିବା ସହ ସମାନ ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଟିଏମସି ନେତ୍ରୀ ମହୁଆ ମୌତ୍ର ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଏକ୍ସରେ ଏନେଇ ସେ ଲେଖିଛନ୍ତି, ଆପଲ ପକ୍ଷରୁ ଆଲର୍ଟ କରାଯାଇଛି ଯେ ମୋ ଫୋନ ଓ ଇମେଲ ସରକାରଙ୍କ ଦ୍ବାରା ହ୍ୟାକ କରାଯିବାକୁ ଚେଷ୍ଟା କରାଯାଉଛି । ଆପଣଙ୍କ ଭୟ ମୋତେ ଖୁସି ଦିଏ ।

ଏହାପରେ ଆପଲ୍ ପକ୍ଷରୁ ବୟାନ ଜାରି ସ୍ପଷ୍ଟୀକରଣ ଦିଆଯାଇଛି । ଫୋନ ନିର୍ମାତା କମ୍ପାନି କହିଛି ଯେ ସେ ରାଜ୍ୟ ଦ୍ୱାରା ପ୍ରାୟୋଜିତ ହ୍ୟାକିଂ ସୂଚନା ଦିଏ ନାହିଁ । କମ୍ପାନି ଏହା ମଧ୍ୟ କହିଛି ଯେ, ସମ୍ଭବତଃ ଆପଲର କିଛି ଥ୍ରେଟ୍ ନୋଟିଫିକେସନ, ମିଛ ଚେତାବନୀ ମଧ୍ୟ ହୋଇପାରେ ।

ଆପଲ୍ ଟେକ୍ନିକାଲ ସପୋର୍ଟ ପେଜ୍ ଏହା ଉପରେ ସଂକ୍ଷିପ୍ତ ବୟାନ ଜାରି କରିଛି । ଏଥିରେ କୁହାଯାଇଛି ଯେ ସରକାର ପ୍ରାୟୋଜିତ ହ୍ୟାକରକୁ ସମ୍ପୂର୍ଣ୍ଣ ରୂପେ ସପୋର୍ଟ ରହିଥାଏ । ଏହାଛଡ଼ା ସେମାନଙ୍କ କାମ କରିବା ପ୍ରକ୍ରିୟା ମଧ୍ୟ ସୋଫିଷ୍ଟିକେଟେଡ୍ ରହିଥାଏ । ବୟାନରେ କୁହାଯାଇଛି ଯେ ଏହିପରି ଆଟାକରେ ଥ୍ରେଟ୍ ଇଣ୍ଟେଲିଜେନ୍ସି ସିଗ୍ନଲକୁ ଧରିବା ସାଧାରଣତଃ ସମ୍ଭବ ନଥାଏ । କମ୍ପାନି କହିଛି ଯେ ସେ ଏହି ଅଲର୍ଟ ପଛର କାରଣ କରିବାରେ ଅସମର୍ଥ ଅଟେ ।

ଏହା ଉପରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖି ଏହାକୁ ଖଣ୍ଡନ କରିବା ସହ ଆବଶ୍ୟକ ତଦନ୍ତ ନିର୍ଦ୍ଦେଶ ମିଳିଥିବା ସୂଚନା ଦେଇଛନ୍ତି । ଏପରିକି ଆଇଫୋନ ନିର୍ମାତା ‘ଆପଲ’କୁ ତଦନ୍ତରେ ସାମିଲ ହେବାକୁ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଣାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିବା ମଧ୍ୟ ମନ୍ତ୍ରୀ ଅଶ୍ବିନୀ କହିଛନ୍ତି । ଆପଲ ଜାରି କରିଥିବା ଗାଇଡଲାଇନ 150 ଟି ଦେଶ କ୍ଷେତ୍ରରେ ଲାଗୁ ହୋଇଥିବା କହିଛନ୍ତି ଅଶ୍ବିନୀ ।

ଅଶ୍ବିନୀ କହିଛନ୍ତି ଯେ, ସରକାର ଏହି ପ୍ରସଙ୍ଗରେ ଚିନ୍ତିତ ଅଛନ୍ତି ଏବଂ ଏହାର ତୃଣମୂଳ ସ୍ତର ପର୍ଯ୍ୟନ୍ତ ତଦନ୍ତ ହେବ । ଦେଶରେ କିଛି ସମାଲୋଚକ ଅଛନ୍ତି । ଏମାନେ ଦେଶର ବିକାଶ ଦେଖିପାରନ୍ତି ନାହିଁ । ଯେତେବେଳେ ତାଙ୍କ ପରିବାର କ୍ଷମତାରେ ଥିଲେ, ସେମାନେ କେବଳ ନିଜ ବିଷୟରେ ଚିନ୍ତା କରୁଥିଲେ ।