FeaturedLatestNews

କଳାହାଣ୍ଡିରେ ଗଡିଲା ଲକ୍ଷ୍ମୀ ବସ, ଉଦଘାଟିତ ହେଲା ରେଣ୍ଡୋ ମାଝୀ ମେଡିକାଲ କଲେଜ

ଭବାନୀପାଟଣା (ସଂକେତ ଟିଭି): କଳାହାଣ୍ଡି ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାରେ ଗଡ଼ିଲା ଐତିହାସିକ ଲକ୍ଷ୍ମୀ ବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହାଛଡ଼ା ସେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ନବୀନ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିଛନ୍ତି

ଏହି ଅବସରରେ ନବୀନ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଛନ୍ତି । ଯୋଜନାର ଶୁଭାରମ୍ଭ ପରେ ବସରେ ବସି ବଳରାମପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାଇଛନ୍ତି । ସେଠାରେ ଏକ ବିକ୍ୟୁଏସ ଫ୍ୟାସିଲିଟିର ଉଦଘାଟନ କରିଛନ୍ତି ।

ସେହିପରି, କଳାହାଣ୍ଡି ୟୁନିଭର୍ସିଟି ନାଁ ବଦଳିଛି। କଳାହାଣ୍ଡି ୟୁନିଭର୍ସିଟି ନାଁ ମା’ମାଣିକେଶ୍ୱରୀ ୟୁନିଭର୍ସିଟି ନାଁରେ ନାମିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଆଜି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ମଧ୍ୟ ଉଦଘାଟନ କରିଛନ୍ତି । ୪୩.୧୮ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି କଲେଜରେ ୧୦୦ ଜଣ ଛାତ୍ର ପାଠ ପଢା ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟ ସରକାରୀ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଏହା ଦ୍ବାରା ସ୍ବାସ୍ଥ୍ୟ ଶିକ୍ଷାରେ ଉନ୍ନତି ଆସିବା ସହିତ ସ୍ଥାନୀୟ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ମିଳିପାରିବ । ମେଡିକାଲ କଲେଜ ସହିତ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୨୦୬ କୋଟି ଟଙ୍କା ବିନିଯୋଗରେ ଏକ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ମଧ୍ୟ ନିର୍ମାଣ କରୁଛନ୍ତି । ଏହା ବର୍ତ୍ତମାନ ନିର୍ମଣାଧୀନ ।

ଆଜିର କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଧାୟକ ଭୂପିନ୍ଦର ସିଂ, ଦିବ୍ୟଶଂକର ମିଶ୍ର ପ୍ରମୁଖ ଯୋଗ ଦେଇ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ ।