CrimeEducationFeaturedLatestNews

ଟ୍ୟୁସନ ଟଙ୍କା ପାଇଁ ସାର୍‌ଙ୍କ ନାବାଳକ ପୁଅକୁ ତଣ୍ଟି କାଟି ହତ୍ୟା କଲା +୨ ଛାତ୍ର

ଭୁବନେଶ୍ବର (ସଂକେତ ଟିଭି) ସାମାନ୍ୟ ଟ୍ୟୁସନ ଟଙ୍କା ପାଇଁ ଘରେ ପଶି ଛୁରାମାଡ଼ରେ ଜଣେ ନାବାଳକକୁ ହତ୍ୟା କଲା ନାବାଳକ ଛାତ୍ର । ଖୋର୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଗତକାଲି ସନ୍ଧ୍ୟାରେ ଏହି ହତ୍ୟା କାଣ୍ଡ ଘଟିଛି । ୫ ହଜାର ଟଙ୍କା ପାଇଁ ଜଣେ +୨ ଛାତ୍ର ହତ୍ୟାକାରୀ ସାଜିଥିବା ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ।

ମୃତକ ଶୁଭମ ପାଲଟାସିଂଙ୍କ ବାପା ମନୋଜ ପାଲଟାସିଂ ଓ ମାଆ ଉଭୟ ଟ୍ୟୁସନ କରନ୍ତି। ଅଭିଯୁକ୍ତ ନାବାଳକ ମୃତ ଛାତ୍ରଙ୍କ ବାପା, ମା’ଙ୍କ ପାଖରେ ଟ୍ୟୁସନ ହେଉଥିଲା। ତେବେ ତାଙ୍କର ପ୍ରାୟ ୫ ହଜାର ଟ୍ୟୁସନ ଟଙ୍କା ବାକିଥିଲା। ଯାହା ଦେବାପାଇଁ ଶିକ୍ଷକ ମନୋଜ ପାଲଟାସିଂ ବାରମ୍ବାର କହୁଥିଲେ। ବାରମ୍ବାର ଟଙ୍କା ମାଗିବାରୁ ଖରାପ ଲାଗିଥିଲା । ଯାହା ଫଳରେ ରାଗରେ ସାରଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୁକ୍ତ ନାବାଳକ ସୂଚନା ଦେଇଛି ।

ଶୁଭମ ସ୍ୱରୂପ ଗତକାଲି ସଂଧ୍ୟାରେ ପଢୁଥିବାବେଳେ ଘରେ ପଶି ଅଭିଯୁକ୍ତ ଛୁରାମାଡ କରିଥିବା ତାଙ୍କ ମା କହିଥିଲେ । ଶୁଭମଙ୍କ ଦେହରେ ୩-୪ ଥର ଛୁରାମାଡ ହୋଇଥିଲା । ଶୁଭମଙ୍କ ବେକ, ଛାତି, ହାତ ସହିତ ଅନ୍ୟ ସ୍ଥାନରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁଭମ ଓଡିଆ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ର ଥିଲେ।

ସେପଟେ ଏହି ସମୟରେ ମୃତକଙ୍କ ପିତା ମନୋଜ କୁମାର ପାଲଟାସିଂହ ଟ୍ୟୁସନ ଫି ମାଗିବା କୁନେଇ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ପୋଲିସର ଦାବିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ତାଙ୍କ ପୁଅକୁ ସୁପାରୀ ଦିଆଯାଇ ହତ୍ୟା କରାଯାଇଛି। ନୟାଗଡ଼ରୁ ଆସିଥିବା ଅଭିଯୁକ୍ତ ନାବାଳକ ଗଡସାହି ଗାଁରେ ମାମୁଁଙ୍କ ଘରେ ରହୁଥିଲା ଏବଂ ମୋ ସମ୍ପର୍କୀୟଙ୍କ ପରି। ସଂପୃକ୍ତ ଛାତ୍ରକୁ ମୁଁ କେବେ ଟିଉସନ୍‌ ଫି ମାଗିନାହିଁ। ଦୂର ସଂପର୍କୀୟ ଚିହ୍ନା ହୋଇଥିବାରୁ କେବେ ବି ଟଙ୍କା ମାଗିନାହିଁ। ସାମାନ୍ୟ ଟଙ୍କା ୩ ହଜାର ପାଇଁ ମାରିଥିବା ବିଶ୍ବାସ ହେଉନାହିଁ। ଡିସିପି ଯାହା କହୁଛନ୍ତି, ମୁଁ ତାକୁ ଆଦୌ ଗ୍ରହଣ କରିପାରୁନି। ଘଟଣାରେ ଏକାଧିକ ସଂପୃକ୍ତ ଅଛନ୍ତି, ସିବିଆଇ ତଦନ୍ତ ହେଉ ବୋଲି ମୃତ ଛାତ୍ରଙ୍କ ବାପା କହିଛନ୍ତି।