CrimeLatestNews

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ ଏଜି କାର୍ଯ୍ୟାଳୟର ଅଡିଟର

ଭୁବନେଶ୍ବର (ସଂକେତ ଟିଭି): ୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) କାର୍ଯ୍ୟାଳୟର ଅଡିଟରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସମ୍ମୁଖରୁ ଅଭିଯୁକ୍ତ ସଞ୍ଜୟ କୁମାର ସ୍ୱାଇଁଙ୍କୁ ଗିରଫ କରାଯାଇଛି। ମେଡିକାଲ୍ ବିଲ୍ ପାସ୍ କରିବା ବଦଳରେ ସଞ୍ଜୟ ସ୍ୱାଇଁ ଜଣେ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି।

ବିଲ୍ ପ୍ରୋସେସିଂରେ ବିଳମ୍ବ କରିବା ସହ ଏହାକୁ ପାସ୍ କରିବା ପାଇଁ ସଞ୍ଜୟ ସ୍ୱାଇଁ ୬ ହଜାର ୫ ଶହ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗକାରୀ ସିବିଆଇ ନିକଟରେ ଅଭିଯୋଗ କରିବାରୁ ସିବିଆଇ ସଞ୍ଜୟ ସ୍ୱାଇଁଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଭୁବନେଶ୍ୱର ଆରଟିଓ ଅଫିସରେ ଅଭିଯୋଗକାରୀ ସଞ୍ଜୟ ସ୍ୱାଇଁଙ୍କୁ ଭେଟି ଲାଞ୍ଚ ପ୍ରଦାନ କରିଥିଲେ। ସଞ୍ଜୟ ସ୍ୱାଇଁ ଲାଞ୍ଚ ନେବା ମାତ୍ରେ ସିବିଆଇ ଟିମ୍ ତାଙ୍କୁ କାବୁ କରିନେଇଥିଲା।