ମହିଳା ସାମ୍ବାଦିକଙ୍କୁ ମାଡ ମାରିଲେ ପ୍ରଯୋଜକ ଟୁଟୁ ନାୟକ, ଥାନାରେ ମାମଲା ରୁଜୁ
ଭୁବନେଶ୍ବର (ସଂକେତ ଟିଭି): କାର୍ଯ୍ୟରତ ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ(ଟୁଟୁ) ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ସାମ୍ବାଦିକ ଦେବସ୍ମିତା ରାଉତ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖାରବେଳଥାନା ପୁଲିସ ଘଟଣାସ୍ଥଳକୁ ଯାଇ ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି।
ନିଜ ପ୍ରତିକ୍ରିୟାରେ ଇଟିଭି ଭାରତର ମହିଳା ସାମ୍ବାଦିକ ଦେବସ୍ମିତା ରାଉତ କହିଛନ୍ତି ଯେ ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ) ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । କେବଳ ଏତିକି ନୁହେଁ ତାଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ କରିଛନ୍ତି। ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବାବେଳେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ତାଙ୍କୁ ପ୍ରଯୋଜକ ଟୁଟୁ ନାୟକ କ’ଣ ପାଇଁ ମାଡ଼ ମାରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି।
ଅପରପକ୍ଷରେ ଟୁଟୁ ନାୟକ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଜି ଗୋଟିଏ ଦିନରେ ୨ଟା ପ୍ରିମିଅର ସୋ ଥିଲା । ସୋ ଦେଖି ବାହାରିବା ବେଳେ ସେ ଗେଟ୍ ମଝିରେ ଠିଆ ହୋଇଥିଲେ । ମୁଁ ତାଙ୍କୁ ସାଇଡ୍ ହୋଇଯାଅ କହି ଟିକେ ମାରିଦେଲି । ତାଙ୍କ ମୋବାଇଲ୍ ତଳେ ପଡ଼ିଗଲା, ଅନ୍ୟ ସାମ୍ବାଦିକ ଉଠାଇ ଦେଲେ । ମୁଁ ସେଠାରୁ ପଳାଇ ଆସିଲି, ପରେ ଶୁଣିଲି ମୋ ନାଁରେ କେସ୍ ହୋଇଛି । ତାଙ୍କୁ ମାଡ ମାରିବା ପାଇଁ ମୋର ସେଭଳି କିଛି ଉଦ୍ଦେଶ୍ୟ ନ ଥିଲା ବୋଲି ସେ କହିଛନ୍ତି ।