ମହିଳା ସାମ୍ବାଦିକଙ୍କୁ ଚାପୁଡା ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ
ଭୁବନେଶ୍ବର (ସଂକେତ ଟିଭି): ମହିଳା ସାମ୍ବାଦିକଙ୍କୁ ଚାପୁଡା ମାରିବା ଅଭିଯୋଗରେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ଟୁଟୁ ନାୟକଙ୍କ ବିରୋଧରେ ୩୫୪, ୨୯୪, ୩୪୧, ୩୨୩ ଦଫା ଲାଗିଛି । ଏନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଶୁକ୍ରବାର ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ଶୋ ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପ୍ରିମିୟର ଶୋ’ ଚାଲିଥିବା ବେଳେ ମହିଳା ସାମ୍ବାଦିକ ବାହାରକୁ ଆସିଥିଲେ । ଅଭିନେତାଙ୍କ ବାଇଟ୍ ନେବା ପାଇଁ ମହିଳା ସାମ୍ବାଦିକ ଜଣକ ହଲ୍ ପ୍ରବେଶ ପଥରେ ଠିଆ ହୋଇଥିଲେ । ଠିକ୍ ସେହି ସମୟରେ ପ୍ରଯୋଜକ ଟୁଟୁ ନାୟକ ପଛ ପଟୁ ଆସି ମହିଳା ସାମ୍ବାଦିକଙ୍କୁ ଥାପୁଡାଇ ଦେଇଥିଲେ ଫଳରେ ତାଙ୍କ ବୁମ୍ ଓ ମୋବାଇଲ ତଳେ ପଡିଯାଇଥିଲା । ପରେ ସେ ବୁମ୍ ନଉଠାଇ ଓଲଟା ତାଙ୍କ ଗାଲରେ ଚାପୁଡା ମାରି ସେଠାରୁ ପଳାଇ ଯାଇଥିଲେ । ଏସବୁ ଚିତ୍ର ସିସିଟିଭିରେ କଏଦ ହୋଇଛି । ଏନେଇ ମହିଳା ସାମ୍ବାଦିକ ଜଣଙ୍କ ଟୁଟୁ ନାୟକଙ୍କ ବିରୋଧରେ ଭୁବନେଶ୍ବର ଖାରବେଳନଗର ଥାନାରେ ଏତଲା ଦେଇଥିଲେ।
ଅପରପକ୍ଷରେ ଟୁଟୁ ନାୟକ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ଗୋଟିଏ ଦିନରେ ୨ଟା ପ୍ରିମିଅର ସୋ ଥିଲା । ସୋ ଦେଖି ବାହାରିବା ବେଳେ ସେ ଗେଟ୍ ମଝିରେ ଠିଆ ହୋଇଥିଲେ । ମୁଁ ତାଙ୍କୁ ସାଇଡ୍ ହୋଇଯାଅ କହି ଟିକେ ମାରିଦେଲି । ତାଙ୍କ ମୋବାଇଲ୍ ତଳେ ପଡ଼ିଗଲା, ଅନ୍ୟ ସାମ୍ବାଦିକ ଉଠାଇ ଦେଲେ । ମୁଁ ସେଠାରୁ ପଳାଇ ଆସିଲି, ପରେ ଶୁଣିଲି ମୋ ନାଁରେ କେସ୍ ହୋଇଛି । ତାଙ୍କୁ ମାଡ ମାରିବା ପାଇଁ ମୋର ସେଭଳି କିଛି ଉଦ୍ଦେଶ୍ୟ ନ ଥିଲା ବୋଲି ସେ କହିଥିଲେ ।