FeaturedGeneralLatestPolitics

ପଞ୍ଜାବର ଆପ୍ ବିଧାୟକ ଯଶବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଗିରଫ କଲା ଇଡି

ଚଣ୍ଡିଗଡ଼ (ସଂକେତ ଟିଭି): ଏକ ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ପଞ୍ଜାବର ଅମରଗଡ଼ରୁ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଯଶବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଗିରଫ କରିଛି।

ସୂତ୍ରରୁ ପ୍ରକାଶ ଯେ ଇଡି ଅଧିକାରୀଙ୍କ ଏକ ଦଳ ଯଶବନ୍ତ ସିଂଙ୍କୁ ମଲେରକୋଟଲାରୁ ଅଟକ ରଖି ପଚରାଉଚରା ପାଇଁ ତାଙ୍କୁ ଜଲନ୍ଧରକୁ ନିଆଯାଇଛି। ସୋମବାର ସକାଳେ ମାଲେରକୋଟଲା ଜିଲ୍ଲାର ଅମରଗଡ଼ଠାରେ ଆପ୍ କର୍ମୀଙ୍କ ଏକ ବୈଠକରେ ଯୋଗ ଦେଉଥିବା ବେଳେ ଇଡି ତାଙ୍କୁ ଅଟକ ରଖିଥିଲା । ଗତ ବର୍ଷ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଯଶବନ୍ତଙ୍କ ବାସଭବନ ଏବଂ ଅନ୍ୟାନ୍ୟ ପରିସର ଉପରେ ଚଢାଉ କରିଥିଲା।

ଇଡି ସୂତ୍ରରୁ ପ୍ରକାଶ ଯେ ଏକ ବେଆଇନ ଅର୍ଥ କାରବାର ମାମଲାରେ ଗଜ୍ଜନ ମାଜରାଙ୍କୁ ୪ ଥର ସମନ କରାଯାଇଥିଲେ ବି ସେ ହାଜର ହେଉନଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ସୋମବାର ସନ୍ଧ୍ୟାରେ ତାଙ୍କୁ ମୋହାଲି କୋର୍ଟରେ ହାଜର କରାଯିବ।

ସେପ୍ଟେମ୍ବର ୨୦୨୨ରେ ଇଡିର ଏକ ଟିମ୍ ଅମରଗଡ଼ରେ ଗଜଜାନମାଜରାଙ୍କ ପରିବାର ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟ ଏବଂ ତାଙ୍କ ଘର ସମେତ ଗୋଖାଦ୍ୟ କାରଖାନା ଉପରେ ଚଢ଼ାଉ କରିଥିଲା। ଏହା ପୂର୍ବରୁ ସିବିଆଇ ପକ୍ଷରୁ ତାଙ୍କ ନାଁରେ ଏକ ୪୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ମାମଲା ରୁଜ୍ଜୁ କରି ତଦନ୍ତ କରାଯାଉଥିଲା ଓ ତାଙ୍କ ଘର ଓ ଅଫିସ ଉପରେ ଚଢଉ କରିଥିଲା । ପରେ ଏହି ମାମଲାରେ ଇଡି ପକ୍ଷରୁ ମଧ୍ୟ ଆଉ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।