ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ
ନୂଆଦିଲ୍ଲୀ (ସଂକେତ ଟିଭି): ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ପଞ୍ଜାବ , ହରିଆଣା ଓ ଦିଲ୍ଲୀ ରାଜ୍ୟ ସରକାରକୁ ଭର୍ତ୍ସନା କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଆମେ ଜାଣିନୁ ପ୍ରଦୂଷଣକୁ କେମିତି ରୋକିବେ, କିନ୍ତୁ ତୁରନ୍ତ ବନ୍ଦ କରନ୍ତୁ । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଖଣ୍ଡପୀଠ ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ପଞ୍ଜାବ ଓ ହରିଆଣାରେ ନଡ଼ା ପୋଡ଼ିବା ଯୋଗୁ ଦିଲ୍ଲୀରେ ଅସ୍ୱଭାବିକ ଭାବେ ପ୍ରଦୂଷଣ ବଢ଼ୁଥିବା କୋର୍ଟ କହିଛନ୍ତି । ତୁରନ୍ତ ପାଳ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଦୂଷଣ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଧ୍ୟ ଅଡ-ଇଭିନ(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା ସମ୍ପର୍କରେ କଡା ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ଏହା ଏକ ଅବୈଜ୍ଞାନିକ ଫର୍ମୁଲା । ୪ ଦିନ ଧରି ୪ ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ସମସ୍ତ ରାଜନୈତିକ ଦଳ ଦୀପାବଳି ପୂର୍ବରୁ ବୈଠକ କରିବା ଉଚିତ୍ ଏବଂ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଜଷ୍ଟିସ ଏସ.କେ କୌଲ କହିଛନ୍ତି ଯେ ସମସ୍ତ ଲୋକଙ୍କର ସ୍ଵଛବାୟୁ ନିଶ୍ୱାସ ନେବା ଅଧିକାର ରହିଛି ଏବଂ ଏହାକୁ ଯୋଗାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ରାଜ୍ୟ ଏବଂ କେନ୍ଦ୍ର ସରକାର ପରସ୍ପରକୁ ଦାୟୀ କରିବାରେ ବ୍ୟସ୍ତ ଅଛନ୍ତି। ପଞ୍ଜାବ ସରକାରଙ୍କୁ ତାଗିଦ୍ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଏକ ରାଜନୈତିକ ଯୁଦ୍ଧ କ୍ଷେତ୍ର ନୁହେଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ ରେ ହେବ।