ଆଜ୍ବେଷ୍ଟସ୍ ବୋଝେଇ ଟ୍ରକ୍କୁ ଧକ୍କା ଦେଲା ଆଲୁମିନିୟମ ବୋଝେଇ ଟ୍ରକ୍ , ହେଲପର ମୃତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ ୬୦ନଂ ଜାତୀୟ ରାଜପଥ ବସ୍ତା ବାଇପାସ ନିକଟରେ ଆଜି ୨ଟି ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଏଥିରେ ଜଣେ ଟ୍ରକ୍ ହେଲପରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ମୃତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାର ବାଉରୀ ସାହି ଭାଲିଆ ବାଡ଼ି ଅଞ୍ଚଳର ଚିତ୍ତରଞ୍ଜନ ନାୟକ (୩୪)।
ସୂଚନା ଅନୁସାରେ ଆଜି ସକାଳ ୬ଟାରେ ୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ ଛିଡ଼ା ହୋଇଥିବା ଆଜ୍ବେଷ୍ଟସ୍ ବୋଝେଇ ଟ୍ରକ୍କୁ ସମାନ ଦିଗରୁ ଆସୁଥିବା ଆଲୁମିନିୟମ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଲୁମିନିୟମ ବୋଝେଇ ଟ୍ରକ୍ର ହେଲ୍ପର ଗାଡ଼ିରେ ଚାପି ହୋଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ବହୁଚେଷ୍ଟା କରି ମଧ୍ୟ ଗୁରୁତରଙ୍କୁ ଉଦ୍ଧାର କରିପାରିନଥିଲେ।
ପରେ ଖବର ପାଇ ବସ୍ତା ପୁଲିସ, ଅଗ୍ନିଶମ ବିଭାଗ, ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ଆଜବେଷ୍ଟସ ବୋଝେଇ ଟ୍ରକ୍ର ଡ଼୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଓ ଅନ୍ୟ ଗାଡ଼ିରେ ଚାପି ହୋଇଥିବା ହେଲଫରଙ୍କୁ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଯୋଗେ ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଆଲୁମିନିୟମ ଟ୍ରକ୍ ହେଲପରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବସ୍ତା ପୁଲିସ ଗାଡ଼ି ଦୁଇଟିକୁ ଜବତ କରିବା ସହିତ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି ।