କେଦାରନାଥରେ ରାହୁଲ-ବରୁଣ ଭେଟ, ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ
ନୂଆଦିଲ୍ଲୀ (ସଂକେତ ଟିଭି): : କେଦାରନାଥ ମନ୍ଦିରରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ତାଙ୍କ ସମ୍ପର୍କୀୟ ତଥା ଭାଜପା ଏମପି ବରୁଣ ଗାନ୍ଧୀଙ୍କ ମଧ୍ଯରେ କିଛି ସମୟ ପାଇଁ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର କେଦାରନାଥ ମନ୍ଦିରରେ ଦର୍ଶନ ସମୟରେ ଏହି ବାର୍ତ୍ତାଳାପ ହୋଇଥିଲା । ତେବେ କେଦାରନାଥରେ ଦୁହିଁଙ୍କ ସାକ୍ଷାତକୁ ନେଇ ବରୁଣ ଗାନ୍ଧୀଙ୍କ ରାଜନୈତିକ ଭବିଷ୍ୟତକୁ ଉପରେ କେତେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ବରୁଣ ଗାନ୍ଧୀ ଏବଂ ମାନେକା ଗାନ୍ଧୀଙ୍କୁ ଗତ କିଛି ମାସ ମଧ୍ୟରେ ଭାଜପାର ପ୍ରମୁଖ ବୈଠକରେ ଦେଖିବାକୁ ମିଳି ନାହିଁ। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନଙ୍କ ମତ ଦଳଠାରୁ ଭିନ୍ନ ଥିଲା। ସୂତ୍ରରୁ ପ୍ରକାଶ ଯେ ଗାନ୍ଧୀ ପରିବାରର ଦୁଇ ସଦସ୍ୟ ମନ୍ଦିର ବାହାରେ କିଛି ସମୟ ସାକ୍ଷାତ କରି ପରସ୍ପରକୁ ଅଭିବାଦନ ଜଣାଇଥିଲେ। ବରୁଣଙ୍କ ଝିଇ ଅନୁସୁୟାଙ୍କୁ ଭେଟି ରାହୁଲ ଗାନ୍ଧୀ ବହୁତ ଖୁସି ଥିଲେ। ଯଦିଓ ଦୁଇ ସମ୍ପର୍କୀୟ ଭାଇ ସାକ୍ଷାତ କରନ୍ତି ନାହିଁ, ତଥାପି ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି। ରାହୁଲ ଗାନ୍ଧୀ ଗତ ତିନି ଦିନ ଧରି ଉତ୍ତରାଖଣ୍ଡର କେଦାରନାଥରେ ଥିବାବେଳେ ବରୁଣ ଗାନ୍ଧୀ ମଙ୍ଗଳବାର ତାଙ୍କ ପରିବାର ସହିତ କେଦାରନାଥ ପରିଦର୍ଶନ କରିଛନ୍ତି।
ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ପଞ୍ଜାବରେ କହିଥିଲେ ମୁଁ ନିଶ୍ଚିତ ଭାବରେ ବରୁଣ ଗାନ୍ଧୀଙ୍କୁ ପ୍ରେମ ଏବଂ ଆଲିଙ୍ଗନ କରିପାରିବି, କିନ୍ତୁ ମୁଁ ତାଙ୍କ ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ। ସେପଟେ ବରୁଣ ଗାନ୍ଧୀଙ୍କୁ କଂଗ୍ରେସରେ ସାମିଲ କରାଯିବ କି, ବୋଲି ଗତବର୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ପଚରାଯିବାରୁ ରାହୁଲ୍ ଗାନ୍ଧୀ କହିଲେ, କଂଗ୍ରେସକୁ ସମସ୍ତଙ୍କୁ ସ୍ବାଗତ କରାଯାଏ। କିନ୍ତୁ, ବରୁଣ କଂଗ୍ରେସ ଲଢ଼େଇ କରୁଥିବା ‘ବିଜେପି/ଆର୍ଏସ୍ଏସ୍’ର ଆଦର୍ଶବାଦକୁ ଗ୍ରହଣ କରିଛନ୍ତି।