ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ
ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି । ଉପବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଅନୁଗୋଳରେ ରଜନୀକାନ୍ତଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି ।
ସୂଚନା ଅନୁସାରେ ରଜନୀକାନ୍ତ ୨୦୧୯ ଜୁନ ମାସରୁ ଉପବାଚସ୍ପତି ଭାବେ କାର୍ଯ୍ୟ କରିଆସୁଥିଲେ । ସେ ୩ ଜଣ ବାଚସ୍ପତି- ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ ଓ ପ୍ରମିଳା ମଲ୍ଲିକଙ୍କ ଡେପୁଟି ଭାବେ କାର୍ଯ୍ୟ କରିଛନ୍ତି । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ରଜନୀକାନ୍ତ କାର୍ଯ୍ୟନିର୍ବାହୀ ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ ।
ସେ କ୍ରମାଗତ ଭାବେ ୨୦୦୪ ମସିହାରୁ ଅନୁଗୋଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି । ସାମ୍ବିଧାନିକ ପଦରେ ଥିବାରୁ ସେ ଦଳୀୟ କାର୍ଯ୍ୟ ବୁଝିବା ସମ୍ଭବ ନୁହେଁ । ଅନୁଗୋଳ ଜିଲ୍ଲାରେ ଦଳର ସଂଗଠନ ସେତେଟା ମଜଭୁତ ନଥିବା କୁହାଯାଉଛି । ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ରହିଛି । ତେଣୁ ବିଜେଡି ସବୁ ଜିଲ୍ଲାରେ ସଂଗଠନକୁ ମଜଭୁତ କରିବାକୁ ସବୁ ପ୍ରକାର ପ୍ରୟାସ କରୁଛି । ଉପବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଅନୁଗୋଳରେ ରଜନୀକାନ୍ତଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି ।