CrimeFeaturedLatestNews

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ, ବିପୁଳ ସମ୍ପତ୍ତି ଠାବ

ବଲାଙ୍ଗିର (ସଂକେତ ଟିଭି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ରେଡ଼ ସମୟରେ ତାଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ।

ପୁରୀ ଜିଲ୍ଲା ପୁରୀ, ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ଥିବା ତାଙ୍କର ୪ଟି ଘରେ ଭିଜିଲାନ୍ସ ଟିମ୍‌ର ଚଢାଉ ଚାଲିଥିବା ବେଳେ ସମ୍ବଲପୁର ସ୍ଥିତ ସୁଦର୍ଶନ ପତ୍ନୀଙ୍କ କ୍ୱାର୍ଟର୍ସ, ବଲାଙ୍ଗିର ଅଫିସ୍‌ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି। ଏହି ଚଢାଉରେ ୮ ଡିଏସପି ଓ ୬ ଇନିସପେକ୍ଟର ସାମିଲ ଅଛନ୍ତି।

ଭୁବନେଶ୍ବର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ୮ ଜଣ ଡିଏସପି, ୬ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକକାଳୀନ ୬ ସ୍ଥାନରେ ଚଢ଼ଉ ହୋଇଛି। ତାଙ୍କ ନାଁରେ ପୁରୀରେ ୧୬ଟି ପ୍ଲଟ୍ ଥିବା ଜଣାଯାଇଛି।
ପୁରୀ, ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିବା ନେଇ ଭିଜିଲାନ୍ସ ଚଢାଉ ସମୟରେ ଜାଣିବାକୁ ପାଇଛି। ସେହିପରି ତାଙ୍କର ଗୋଟି ଦାମୀ ବାଇକକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ। ଯାହାର ମୂଲ୍ୟ ପ୍ରାୟ ୨୩ ଲକ୍ଷ୍ୟ ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ପ୍ରଦାନ କରିଛି। ଏହା ସହିତ ତାଙ୍କର ତିନୋଟି କାର ମଧ୍ୟ ଜବତ କରିଛି ଭିଜିଲାନ୍ସ। ଜବତ ହୋଇଥିବା କାର ମଧ୍ୟରେ ହୋଣ୍ଡା ସିଟି, ସ୍କର୍ପିଓ ଓ ଇଟିଅସ କ୍ରସ ରହିଥିବା ଜଣାପଡ଼ିଛି। ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ରହିଥିବା ନେଇ ସୂଚନା ମିଳିଛି।