ବନ୍ଧୁକ ଦେଖାଇ ଟଙ୍କା ଭ୍ୟାନ୍ରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇଗଲେ ଦୁର୍ବୃତ୍ତ
କଟକ(ସଂକେତ ଟିଭି): ଏଟିଏମ୍ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଗଲେ ଦୁର୍ବୁତ୍ତ । ଟକ ଜିଲା ତିଗିରିଆ ଥାନା ନୂଆସଡ଼କ-ଗୋଡ଼ିଝରିଆ ଜଙ୍ଗଲି ରାସ୍ତାର ରାଇସ୍ ମିଲ୍ ନିକଟରେ ଶୁକ୍ରବାର ଏହି ବଡ଼ ଧରଣର ଲୁଟ୍ ହୋଇଛି। ୮ରୁ ୯ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏହି ଲୁଟ କରିଥିବା ଅଭିଯୋଗ ହୋଇଛି। ଟ୍ରଙ୍କରେ ପ୍ରାୟ ୧.୭୩ କୋଟି ଟଙ୍କା ଥିବା କୁହାଯାଉଛି। ଦୁର୍ବୃତ୍ତମାନେ ଏକ ସ୍କୁଟି, ଗୋଟିଏ ବାଇକ୍ ଓ ଗୋଟିଏ ସ୍କର୍ପିଓ ଗାଡ଼ି ବ୍ୟବହାର କରି ଏହି ଲୁଟ୍ କରିଛନ୍ତି।
ସୂଚନା ଅନୁସାରେ, କ୍ୟୋର ଭାଲ୍ୟୁ ନାମକ ସଂସ୍ଥାର ଚାରି ଜଣ କର୍ମଚାରୀ ଆଠଗଡ଼ ଏସ୍ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍ରେ ଭରିବାକୁ ଯାଇଥିଲେ। ମୋଟ ୧୩ଟି ଏଟିଏମ୍ରେ ଏହି ଟଙ୍କା ଭରିବାର ଥିଲା। ସେମାନେ ଗୋଡ଼ିଝରିଆରେ ଏଟିଏମ୍ରେ ଟଙ୍କା ଭର୍ତ୍ତି କରି ଫେରୁଥିବା ବେଳେ ଏକ ନିଛାଟିଆ ସ୍ଥାନରେ ଗାଡ଼ି ଉପରକୁ ଏକ ପଥର ମାଡ଼ ହୋଇଥିଲା। ତେଣୁ ଡ୍ରାଇଭର ଗାଡ଼ିର ବେଗ କମାଇ ଦେଇଥିଲେ। ସେତେବେଳେ ଏକ ସ୍କୋର୍ପିଓ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ସେମାନଙ୍କ ବାଟ ଓଗାଳିଥିଲେ। ଏହି ସବୁ ଗାଡ଼ିରେ ଆସିଥିବା ୮ରୁ ଅଧିକ ଲୋକ ମୁହଁରେ କପଡ଼ା ବାନ୍ଧିଥିଲେ। ସେମାନଙ୍କ ହାତରେ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଥିଲା। ସିକ୍ୟୋର ଭାଲ୍ୟୁ ସଂସ୍ଥାର ଗାଡ଼ି ଅଟକି ଯିବା ପରେ ଦୁର୍ବୃତ୍ତମାନେ ଗାଡ଼ିରୁ ଓହ୍ଲାଇ ଆସି କେହି କିଛି ବୁଝିବା ପୂର୍ବରୁ ସମସ୍ତଙ୍କ ମୁଣ୍ଡରେ ବନ୍ଧୁକ ରଖି ଦେଇଥିଲେ। ଗାଡ଼ିରେ ଥିବା ସୁରକ୍ଷାକର୍ମଚାରୀଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ଏହି ଘଟଣା ପରେ ତିଗିରିଆ ଓ ଆଠଗଡ଼ ପୁଲିସ ପକ୍ଷରୁ ତନାଘନା ଜାରି ରହିଛି। ଆଠଗଡ଼ରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି।