ପୁରୀ ଷ୍ଟେସନ କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ
ପୁରୀ (ସଂକେତ ଟିଭି): ପୁରୀ ରେଳଷ୍ଟେସନର କୋଚିଂ ଡିପୋରେ ଥିବା ଏକ ଟ୍ରେନ୍ରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି । ତେବେ ଟ୍ରେନ୍ କୋଚ ମରାମତି ହେଉଥବା ସିକ ଲାଇନରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ହେଲେ ନିଆଁ ଲାଗିବାର କାରଣ ଜଣାପଡିନାହିଁ।
ସୂଚନା ଅନୁସାରେ, କୋଚିଂ ଡିପୋର ୱାଶିଂ ଲାଇନର ଏକ ବଗିରେ ତଳପାଖରୁ ଆଜି ଦିନ 12ଟା 30ରେ ନିଆଁ ଲାଗିଯାଇଥିଲା । ଗୋଟିଏ ବଗି ସମ୍ପୂର୍ଣ୍ଣ ଜଳିଯାଇଛି । ନିଆଁ ଲାଗିଥିବା ବଗିରୁ ଅନ୍ୟ ବଗିକୁ ତୁରନ୍ତ ଅଲଗା କରି ଦିଆଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । କେଉଁ ପରିସ୍ଥିତିରେ ଏହି ଅଗ୍ନିକାଣ୍ଡ ଘଟିଛି ଏହାର ତଦନ୍ତ କରାଯିବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି।
ତେବେ ନିକଟରେ ରେଲୱେ ଷ୍ଟେସନ ଥିବା ବେଳେ ହଜାର ହଜାର ଯାତ୍ରୀ ଯାତାୟତ କରୁଛନ୍ତି । ସେହିପରି ଅନେକ ଯାତ୍ରୀବାହୀ ଟ୍ରେନ୍ ଷ୍ଟେସନରେ ଅଟକି ରହିଥିଲା । ଏଣୁ ଶୀଘ୍ର ନିଆଁକୁ ଆୟତ୍ତ ହେବା ଯୋଗୁଁ ଏକ ବଡ ଅଘଟଣ ଟଳିଯାଇଛି ।