ଆମେରିକାରେ ପହଞ୍ଚିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ
ଓ୍ବାଶିଂଟନ୍(ସଂକେତ ଟିଭି): ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଙ୍ଗଳବାର ଦିନ ଆମେରିକା ପହଞ୍ଚିଛନ୍ତି। ସେ ୬ବର୍ଷ ପରେ ଆମେରିକା ଗସ୍ତ କରିଛନ୍ତି। ଇସ୍ରାଏଲ-ହମାସ ଓ ୟୁକ୍ରେନ-ଋଷିଆ ମଧ୍ଯରେ ଯୁଦ୍ଧ ଜାରି ରହିଥିବାବେଳେ ଜିନପିଙ୍ଗଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।
ରିପୋର୍ଟ ଅନୁଯାୟୀ, ବୁଧବାର ସନ ଫ୍ରାନ୍ସିସ୍କୋର ଖାଡି କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଜିନପିଙ୍ଗ ସାକ୍ଷାତ କରିବେ। ଜିନପିଙ୍ଗ ଏହି ସମୟରେ ଆମେରିକା ଗସ୍ତ କରୁଛନ୍ତି ଯେତେବେଳେ କି, ଇସ୍ରାଏଲ-ହମାସ ଓ ୟୁକ୍ରେନ-ଋଷିଆକୁ ନେଇ ସାରା ବିଶ୍ୱ ଦୁଇଭାଗ ହୋଇଯାଇଛି। ଅନୁମାନ କରାଯାଉଛି କି, ଏହି ଦୁଇ ମହାଶକ୍ତିଙ୍କ ମହାମିଳନ ଦ୍ୱାରା ପଶ୍ଚିମ ଏସିଆ ଓ ୟୁରୋପରେ ଶାନ୍ତି ବଜାୟ ରହିବ।
ଚୀନର ସରକାରୀ ଏଜେନ୍ସି ଅନୁଯାୟୀ, ଜିନପିଙ୍ଗ ଚୀନ-ଆମେରିକା ଶିଖର ସମ୍ମିଳନୀ ଓ ଏପିଇସି ଆର୍ଥିକ ନେତାଙ୍କ ସହ ବୈଠକ ପାଇଁ ସାନ ଫ୍ରାନସିସକୋ ପହଞ୍ଚି ସାରିଛନ୍ତି। ତେବେ ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ଓ୍ବାଶିଂଟନ୍-ବେଜିଂ ସମ୍ବନ୍ଧରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି। ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ହୋଇପାରେ। ଦୁଇ ଦେଶ ମଧ୍ୟରେ ସୈନ୍ୟ ସଞ୍ଚାର, ଇସ୍ରାଏଲ ଓ ୟୁକ୍ରେନ ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, ନିଶା ପଦାର୍ଥର ଘୋଟାଲାର ମୁକାବିଲା କରିବା, ମାନବଧିକାର ବିଷୟରେ ଅସହମତି ଏବଂ ଦକ୍ଷିଣ ଚୀନ ସାଗର ଓ ତାଇଓ୍ବାନ ଆଖପାଖରେ ସୈନ୍ୟ ବୃଦ୍ଧିକୁ ନେଇ ମଧ୍ୟ ଚର୍ଚ୍ଚା ହେବାର ରହିଛି।