CrimeLatestNews

ବ୍ରାଉନସୁଗର ବେପାର କରୁଥିବାବେଳେ ଦାନ୍ତ ଡାକ୍ତର ଗିରଫ

ଯାଜପୁର (ସଂକେତ ଟିଭି): ବ୍ରାଉନ୍‌ସୁଗର ବେପାର କରୁଥିବା ବେଳେ ଦାନ୍ତ ଡାକ୍ତରଙ୍କୁ ଗିରଫ କଲା ପୋଲିସ । ଗିରଫ ଡାକ୍ତରଙ୍କ ନାଁ ନିଗମା ନନ୍ଦ ଖଟୁଆ (୨୮)। ସେ ଯାଜପୁର ଥାନା ଅଞ୍ଚଳରେ ମହାବୀର ନଗରରେ ଏକ କ୍ଲିନିକ୍ କରିଛନ୍ତି। ଡାକ୍ତରଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ୨୫ ଗ୍ରାମର ବ୍ରାଉନ ସୁଗର ଜବତ କରିଛି ଯାଜପୁର ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ।

ଗିରଫ ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଯାଜପୁର ଥାନା ଅନ୍ତର୍ଗତ ସୁନ୍ଦେରେଇମୁହାଁର ସନ୍ଦୀପ ମଲ୍ଲିକ (୨୮) ଓ ସିଦ୍ଧେଶ୍ୱରର ରକ୍ଷାକର ଦୀକ୍ଷିତ (୨୭)। ଏହି ଦୁଇ ଜଣଙ୍କୁ ପଚରାଉଚରା ବେଳେ ଦାନ୍ତ ଡାକ୍ତର ନିଗମା ନନ୍ଦ ଖଟୁଆଙ୍କ ନାଁ ସାମ୍ନାକୁ ଆସିଥିଲେ। ସନ୍ଦୀପ ଓ ରକ୍ଷାକରଙ୍କ କହିବା ଅନୁଯାୟୀ, ଦାନ୍ତ ଡାକ୍ତର ବାହାରୁ ବ୍ରାଉନ୍‌ସୁଗର ଆଣୁଥିଲେ। ସେ ବହୁ ପରିମାଣରେ ବ୍ରାଉନ୍‌ସୁଗାର ବାହାରୁ ଆଣି ସେମାନଙ୍କୁ ବିକ୍ରି କରିବା ପାଇଁ ଅଳ୍ପ ଅଳ୍ପ ଦେଉଥିଲେ। ସେ ଏଠାରେ ବ୍ରାଉନ୍‌ସୁଗରର ଏକ ରାକେଟ ଚଲାଇଥିଲେ।

ଯାଜପୁର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ଚଢ଼ାଉ ବେଳେ ସନ୍ଦୀପ ମଲ୍ଲିକ ଓ ରକ୍ଷାକର ଦୀକ୍ଷିତଙ୍କଠାରୁ ବ୍ରାଉନସୁଗର ଜବତ କରାଯାଇଥିଲା। ସନ୍ଦୀପଙ୍କ ଠାରୁ ୧୨.୪ ଗ୍ରାମ ଓ ରକ୍ଷାକରଙ୍କଠାରୁ ୧୨.୮ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା।