ଠିକାଦାରଙ୍କ ୧୮ଲକ୍ଷ ଟଙ୍କା ନଦେବାରୁ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ନିଲାମ
ଭୁବନେଶ୍ବର (ସଂକେତ ଟିଭି): ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ନ ଦେବାରୁ ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ନିଲାମ ନିଲାମ ହୋଇଛି । କୋର୍ଟ କର୍ମଚାରୀ ନିଲାମ ପାଇଁ ପୂର୍ବାହ୍ନରେ ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏବେ ଭୁବନେଶ୍ୱର ସିନିୟର ଡିଭିଜନ ସବ ଜଜଙ୍କ ନିର୍ଦ୍ଦେଶକ୍ରମେ ଏହି ନିଲାମ ପ୍ରକ୍ରିୟା ଚାଲିଛି। ଅଫିସରେ ଥିବା ଏସି, କଂପ୍ୟୁଟର ଓ ପ୍ରିଣ୍ଟର ଆଦି ନିଲାମ ଲାଗି ନିଆଯାଇଛି।
ସୂଚନା ଅନୁଯାୟୀ, କନଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକ ସରକାରଙ୍କଠାରୁ ୧୮ଲକ୍ଷ ଟଙ୍କା ପାଇବାର ଅଛି। କିନ୍ତୁ ନିର୍ଦ୍ଧାରିତ ସମୟରେ ଟଙ୍କା ନପାଇବାରୁ ସେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ସେହି ମାମଲାର ଶୁଣାଣି କରି ସମ୍ପତ୍ତି ନିଲାମ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ମୁଖ୍ୟଯନ୍ତ୍ରୀ ସମୟ ନେଇଥିଲେ । ହେଲେ କୋଠାବାଡ଼ି ବିଭାଗର ମୁଖ୍ୟଯନ୍ତ୍ରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ପୈଠ କରିନଥିଲେ । ସମୟ ମଧ୍ୟରେ ଟଙ୍କା ପୈଠ ନ କରିବାରୁ ପୁଣି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ୧୯୯୮ ମସିହାରେ ନତାଲା ନିର୍ମାଣ କରିଥିଲେ କନଷ୍ଟ୍ରକସନ୍ ଇଣ୍ଡିଆ ଠିକାଦାର । ସରକାର ଟଙ୍କା ବାକି ରଖିବାରୁ ଠିକାଦାର କୋର୍ଟ ଯାଇଥିଲେ ।