FeaturedLatestNews

ଚିଟଫଣ୍ଡ ଜମାକାରୀ ଫେରି ପାଇବେ ୧୩୩ କୋଟି ଟଙ୍କା

କଟକ (ସଂକେତ ଟିଭି): ବିଭିନ୍ନ ଚିଟ୍‌‌ଫଣ୍ଡ ସଂସ୍ଥାର କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ପ୍ରାୟ ୧୩୩ କୋଟିରୁ ଅଧିକ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରହିଛି । ବିଭିନ୍ନ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ପରେ ନିଲାମଲବ୍ଧ ଅର୍ଥ ସରକାରଙ୍କ ପ୍ରାଧିକୃତ ଅଧିକାରୀଙ୍କ ଖାତାକୁ ଆସୁଥିବା ବେଳେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଏହାକୁ ଚିହ୍ନଟ ଜମାକାରୀଙ୍କୁ ଫେରସ୍ତ କରାଯାଉଛି।

ସୂଚନାନୁସାରେ, ଏବେ ହାଇଟେକ୍‌‌ ଗ୍ରୁପ୍‌‌ ଅଫ୍‌‌ କମ୍ପାନୀଜ୍‌‌ ଓ ଗୋଲ୍‌‌ଡେନ୍‌ ଲ୍ୟାଣ୍ଡ୍‌ ଡେଭଲପର୍ସ ଗ୍ରୁପ୍‌‌ ଅଫ୍‌‌ କମ୍ପାନୀର ଜମାକାରୀମାନେ ସେମାନଙ୍କ ଟଙ୍କା ଫେରିପାଇବେ। ସମ୍ପୃକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ବଣ୍ଡ୍‌‌ ଓ କ୍ୟାନ୍‌‌ସେଲ ମନି-ରସିଦ୍‌‌ ଅପ୍‌‌ଲୋଡ୍‌‌ ପ୍ରକ୍ରିୟା ଶେଷ ପରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ। ଏହି କ୍ରମରେ ଜମା ଜିଏଲ୍‌‌ପି ଡେଭଲପର୍ସ ଲିମିଟେଡ୍‌‌ ଓ ଗୋଲ୍‌‌ଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ୍‌‌ର ୨ଲକ୍ଷ ୫୯ହଜାର ୨୮୦ ଜମାକାରୀ ଅର୍ଥ ଫେରସ୍ତ ପାଇବାକୁ ଯାଉଛନ୍ତି। ୮ ହଜାର ଟଙ୍କା ବା ତା’ଠାରୁ କମ୍‌‌ ଦାବି ଥିବା ଏହି ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯିବ। ୯୨ କୋଟି ୫୮ ଲକ୍ଷ ୭୮ହଜାର ୨୦୧ ଟଙ୍କା ଏହି ଚିଟ୍‌‌ଫଣ୍ଡ କମ୍ପାନୀର ଚିହ୍ନଟ ଜମାକାରୀ ପାଇବେ।

ସେହିପରି ହାଇଟେକ୍‌‌ ଗ୍ରୁପ୍‌‌ ଅଫ୍‌‌ କମ୍ପାନୀର ମୋଟ ୫୫୭୫ଜଣ ଅଦ୍ୟାବଧି ସେମାନଙ୍କ ପ୍ରାପ୍ୟ ଫେରସ୍ତ ସମ୍ପର୍କିତ ଅନ୍‌‌ଲାଇନ୍‌‌ ଦାବି ଆବେଦନପତ୍ରକୁ ଓକାକ୍‌‌ ମାଧ୍ୟମରେ ଦାଖଲ କରିଥିବା ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରାଧିକୃତ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଇତିମଧ୍ୟରେ ପ୍ରାୟ ୮୭ କୋଟି ୪୧ ଲକ୍ଷ ୨୧ ହଜାର ୯୩୪ ଟଙ୍କା ରୋଜ୍‌‌ଭ୍ୟାଲି ଗ୍ରୁପ୍‌‌ ଅଫ୍‌‌ ଚିଟ୍‌‌ଫଣ୍ଡ କମ୍ପାନୀର ଜମାକାରୀଙ୍କୁ ଦିଆଯାଇଛି। ଏହି କମ୍ପାନୀର ୨ ଲକ୍ଷ ୩୮ ହଜାର ୪୭୭ ଜଣ ଜମାକାରୀ ଉପକୃତ ହୋଇସାରିଥିବା ଜଣାପଡ଼ିଛି।