ଆଦିବାସୀଙ୍କ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ
ଭୁବନେଶ୍ବର (ସଂକେତ ଟିଭି): ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତି ଉପରେ ରାଜ୍ୟ ସରକାର ରୋକ ଲଗାଇଛନ୍ତି । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏନେଇ ସୂଚନା ଦେଇଛନ୍ତି ।
ଗତ ନଭେମ୍ବର ୧୪ରେ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ଆଇନ ସଂଶୋଧନକୁ କ୍ୟାବିନେଟ ମୋହର ମାରିଥିଲା । କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧୀ ବିରୋଧ କରିଥିଲେ । କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଅନୁସୂଚିତ ଜନଜାତି ମାନଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨, ୧୯୫୬ ଆଇନ ପ୍ରଚଳନ ହୋଇଆସୁଛି । ୨୦୦୨ ମସିହାରେ ଏହି ଆଇନରେ କେତେକ ସଂଶୋଧନ ହୋଇଥିଲା । ଫଳରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ତାର ସ୍ଥାବର ସମ୍ପତ୍ତି କେବଳ ସେହି ବର୍ଗର ବ୍ୟକ୍ତିକୁ ହିଁ ହସ୍ତାନ୍ତର କରିପାରିବ । ଏହି ଆଇନ ଅନୁଯାୟୀ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି, କେବଳ କୃଷି ଉଦ୍ଦେଶ୍ୟରେ ତାର ଜମିକୁ ଯେକୌଣସି ସର୍ବସାଧାରଣ ଅର୍ଥକାରୀ ସଂସ୍ଥାରେ ବନ୍ଧକ ରଖିପାରିବ । ଆଇନରେ ଏପରି ବ୍ୟବସ୍ଥା ଦ୍ବାରା ଅନୁସୂଚିତ ଜନଜାତି ବର୍ଗର ଶିକ୍ଷିତ ଯୁବକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଅସୁବିଧାକୁ ହୃଦୟଙ୍ଗମ କରି ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦର ସୁପାରିଶକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଆଇନରେ କେତେକ ସଂଶୋଧନ କରିବାକୁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଥିଲା ।
ଯାହା ଫଳରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଉପଜିଲ୍ଲାପାଳଙ୍କ ଠାରୁ ଲିଖିତ ଅନୁମତି କ୍ରମେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ । ଅଥବା କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କର ଉଚ୍ଚ ଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସର୍ବସାଧାରଣ ଅର୍ଥକାରୀ ସଂସ୍ଥାରେ ବନ୍ଧକ ରଖି ଋଣ ଆହରଣ କରିବା ସହ ଜଣେ ଅଣ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବ । ହେଲେ ଏହି ବ୍ୟକ୍ତି ଯେପରି ଭୂମିହୀନ ବା ଗୃହଶୂନ୍ୟ ନହୁଏ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ ଉଚିତ । ଯଦି ଉପଜିଲ୍ଲାପାଳ ଅନୁମତି ନ ଦିଅନ୍ତି, ତାହେଲେ ସେ ବ୍ୟକ୍ତି ଛଅ ମାସ ମଧ୍ୟରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ, ଯାହାକି ଚୁଡାନ୍ତ ନିଷ୍ପତ୍ତି ହେବ । ଏନେଇ କ୍ୟାବିନେଟ ନିଷ୍ପତ୍ତି ହେବା ପରେ ରାଜନୀତି ଜୋର ଧରିଥିଲା ।